
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ସହରର ସମସ୍ତ କ୍ଲବ, ସାମାଜିକ, ଶିକ୍ଷା, ଅଧ୍ୟାତ୍ମିକ ଓ କ୍ରୀଡ଼ା ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ଏକଜୁଟ ହୋଇଥିଲେ । ଜିଲ୍ଲାର ଆବାଳ ବୃଦ୍ଧ ବନିତା ସ୍ନେହ ଓ ମମତାର ଆଞ୍ଜୁଳାଏ କୁସୁମରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଏହି ଭାବପ୍ରବଣ ବିଦାୟ ସମ୍ବର୍ଦ୍ଧନା ଦେବାରୁ ଟିକେ ଆଶୀର୍ବାଦ ନେବାରୁ ବାଦ ପଡିନି ଏକ ସାତ ବର୍ଷର କୁନି ପିଲା । କାନ୍ଦି ପକାଉଛି ଆଜି ଦୁର୍ଘଟଣା ପରେ ଜିଲ୍ଲାପାଳଙ୍କ ଦ୍ଵାରା ରେଡକ୍ରସରୁ ୩୦ ହଜାର ଟଙ୍କା ଚିକିତ୍ସା ସହାୟତା ପାଇଥିବା ନିମ୍ନା ଗାଁର ବିଶ୍ୱଜିତ୍ । ସାକ୍ଷାତ ହେବାରୁ ବାଦ ପଡିନି ହାର୍ଟ ଅପରେସନରେ ଜିଲ୍ଲାପାଳଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇ ପୁର୍ନଜୀବନ ପାଇଥିବା ହର୍ଷବର୍ଦ୍ଧନ । ଫୋନରେ ଶୁଭେଛା ଜଣାଇବା ଭୁଲିନି ଜିଲ୍ଲାପାଳଙ୍କ ଠାରୁ ସମ୍ୱର୍ଦ୍ଧିତ ହୋଇଥିବା ନନ୍ଦନମାଲ ଗାଁର ଗରିବ ଛାତ୍ରୀ ତଥା ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟର ଗୋଲ୍ଡ ମେଡାଲ ଛାତ୍ରୀ ମହେନ୍ଦ୍ରୀ ନାଗ । ଫୋନ୍ରେ ଆଶୀର୍ବାଦ ଦେବା ଭୁଲି ନାହାନ୍ତି ଜିଲ୍ଲାର ଅନେକ ବିଧବା ତଥା ଅସହାୟ ବୃଦ୍ଧବୃଦ୍ଧା । କିଏ କହିଲା ନୂଆଁ ବସଷ୍ଟାଣ୍ଡ୍ ନିର୍ମାଣରେ ଆପଣଙ୍କ ଅବଦାନ, ଷ୍ଟାଡିଅମ୍ ପାଇଁ ୨୫ କୋଟି ଟଙ୍କା ଅନୁଦାନ ଅବଦାନ ଆପଣଙ୍କର, କିଏ କହିଲା ଯିଏ ବି ଯେତେବେଳେ ଯାହା ଗୁହାରୀ କରି ଆସିଛି ଆପଣଙ୍କ ଦ୍ଵାରରୁ କେବେ ଫେରିନି । କିଏ କହିଲା ଏଇ ତେର ମାସ ଶାସନ ଆମ ଜିଲ୍ଲା ପାଇଁ ଏକ ସ୍ୱର୍ଣ୍ଣିମ ଯୁଗ ଏମିତି ଅନେକ ପ୍ରଶଂସା କରିଥିଲେ ସହରର ସମସ୍ତ ଅନୁଷ୍ଠାନର ପ୍ରମୁଖ କର୍ମକର୍ତ୍ତା ସଦସ୍ୟ । ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ, ଉପଜିଲ୍ଲାପାଳ ଡ଼. ସୌମ୍ୟରୂପା ରଥଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଡ଼. ସାହୁଙ୍କୁ ଉପଢ଼ୌକନ, ମାନପତ୍ର, ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜ୍ଞାପନ କଲେ ସହରର ବରିଷ୍ଠ ନାଗରିକ ସଂଘ, ଯୋଗାଳୟ ଅନୁଷ୍ଠାନ, ଓଡ଼ିଶା ସାମ୍ୱାଦିକ ସଂଘ, ନାରୀ ଜାଗରଣ କେନ୍ଦ୍ର, ବ୍ୟବସାୟୀ ସଂଘ, ପଏଁରୀ, ସ୍ୱଚ୍ଛ ଭାରତ ସଙ୍ଗଠନ, ଭାରତ ବିକାଶ ପରିଷଦ, ବିଭିନ୍ନ ସାଂସ୍କୃତିକ ଆଧ୍ୟତ୍ମିକ ଅନୁଷ୍ଠାନ, କ୍ରୀଡା ସଂଘ, ପୋଲିସ ସଂଘ, ରାମଧୂନ୍ କ୍ଲବ, ସୋନପୁର କଲେଜ୍ ଏନସିସି ଓ ଆଲୁମିନି ସଂଘ୍, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସାହାରା ଓ ବିଶ୍ୱ ଭାରତୀ ଶିକ୍ଷା ନିକେତନ ଓ ମହାନଦୀ ଧାରା ସମେତ ସହରର ୫୦ରୁ ଉର୍ଦ୍ଧ୍ବ ପ୍ରମୁଖ ଅନୁଷ୍ଠାନର କର୍ମକର୍ତ୍ତା । ଶେଷରେ ନିଜ ଅନୁଭୂତି ପ୍ରକାଶ କରି ଜିଲ୍ଲାପାଳ ଡ଼. ସାହୁ କହିଥିଲେ ମୋ ଚାକିରୀ କାର୍ଯ୍ୟକାଳ ଭିତରେ ସବୁଠୁ ଅଧିକ ଲୋକଙ୍କ ସମ୍ପର୍କ ଯୋଡ଼ିଛି, ଅଧିକ ଲୋକଙ୍କୁ ଭଲ ପାଇଛି, ଅଧିକ କାମ କରିବାରେ ଉତ୍ସାହ ସହଯୋଗ ପ୍ରେରଣା ଓ ଆତ୍ମ ବିଶ୍ୱାସ ପାଇଛି, ଏଠାକାର ଲୋକଙ୍କୁ ଏ ମାଟି ପାଣି ପବନ ମନ୍ଦିର ମାଳିନୀ ସହରକୁ ଖୁବ ଭଲ ପାଇଛି । ଯାହାକି ମୋ ଜୀବନରେ ଏହି ସବୁ ସ୍ମୁତି ହୋଇ ରହିବ । ସଭାରେ ପ୍ରଥମେ ମା’ ସୁରେଶ୍ଵରୀଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରାଯାଇଥିଲା । ସଭାକୁ ସାମ୍ବାଦିକ ତଥା ସମାଜ ସେବୀ ମନୋରଞ୍ଜନ ତ୍ରିପାଠୀ ଓ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ସଂଯୋଜନା କରିଥିବା ବେଳେ ଆଇନଜୀବୀ ପ୍ରଦୀପ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସୋନପୁର କଲେଜ୍ ଏନସିସି ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲ, ଡ଼. ଆର୍ତ୍ତତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ମନୋଜ୍ ପଣ୍ତା, ଇନ୍ଦୁମତୀ ପୁରୋହିତ, ଚୌଧୁରୀ ବିଭାର, ସାମ୍ୱାଦିକ ରାଜ କିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସୁଭାଷ ପଣ୍ତା, ଏନସିସି ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।