jayashree

ପଦ୍ମପୁରରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

  • ସ୍ୱରାଜସ୍ୱ ବୃଦ୍ଧି ପାଇଁ ଶ୍ରେଷ୍ଠ ଏନ.ଏ.ସି ଭାବେ ପଦ୍ମପୁର ଦୁଇ କୋଟିର ଅର୍ଥରାଶିରେ ପୁରସ୍କୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ ପରିସରରେ ଆଡ଼ମ୍ବର ସହକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଦ୍ମପୁରବାସୀ ଆଭାସୀ ମାଧ୍ୟମରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ । ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ନିଜସ୍ୱ ରାଜସ୍ୱ ବୃଦ୍ଧି (Own Source Revenue Development) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପଦ୍ମପୁର ଏନଏସିକୁ ରାଜ୍ୟର ଶ୍ରେଷ୍ଠ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ଭାବେ ପୁରସ୍କୃତ କରାଯାଇଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପଦ୍ମପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହି ଏହି ସମ୍ମାନଜନକ ପୁରସ୍କାର ସହିତ ଦୁଇ କୋଟିର ଅର୍ଥରାଶି ଗ୍ରହଣ କରିଥିଲେ । ପଦ୍ମପୁର ଟାଉନ ହଲଠାରେ ଆୟୋଜିତ ସଭାରେ ବରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୁଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେଶ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱାୟତ୍ତ ଶାସନର ମହତ୍ତ୍ୱ ଓ ନଗର ଉନ୍ନୟନ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସୁନୀଲ କୁମାର ଅଗ୍ରୱାଲ, ବିଧାୟକ ପ୍ରତିନିଧି ଭାବେ ନବ କିଶୋର ସାହୁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଡିସିବି ବ୍ୟାଙ୍କର ଶାଖା ପରିଚାଳକ ଏମ୍. ରାଜେଶ ଏବଂ ଏନଏସିର ସମସ୍ତ କାଉନସିଲର ଉପସ୍ଥିତ ଥିଲେ । ଏହି ସମାରୋହରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମାଜସେବା, ସାମ୍ବାଦିକତା ଓ ସାମାଜିକ ଅବଦାନ ପାଇଁ ଅଞ୍ଚଳର ୮୫ ଜଣ ବରିଷ୍ଠ ନାଗରିକ, ସମାଜସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାମ୍ବାଦିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହାସହିତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.