
ରାଉରକେଲା, (ସସ୍ମିତା ପ୍ରଧାନ) : ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ଓ ଯୁବ ନିଯୁକ୍ତିକୁ ନେଇ ବଡ ଯୋଜନା, ଜଏଣ୍ଟ ଡିନ୍ ଓ ICCWSWE ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ନୂଆଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ଉଦ୍ୟମିତା କ୍ଷେତ୍ରରେ ଆଗକୁ ବଢାଇବା ଏବଂ ଦେଶରେ ଯୁବ ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବିଶ୍ୱବିଦ୍ୟାଳୟର ଜଏଣ୍ଟ ଡିନ୍ ଡ. ଦେବେନ୍ଦ୍ର ସିଂହ ଏବଂ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଫର ଏସସି, ଏସଟି ଏଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୋର୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁବୀର ପଲଙ୍କ ମଧ୍ୟରେ ହୋଇଥିଲା । ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବକଙ୍କ ମଧ୍ୟରେ ଉଦ୍ୟମିତାର ଭାବନା ଜାଗ୍ରତ କରିବା, ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବା ଏବଂ ବ୍ୟବସାୟ ଆରମ୍ଭ କରି ତାକୁ ସଫଳତାର ସହ ଆଗକୁ ବଢାଇବା ପାଇଁ ପ୍ରତ୍ୟେକ ସ୍ତରେ ସହଯୋଗ ଯୋଗାଇ ଦେବା । ବୈଠକରେ ଚାରିଟି ପ୍ରମୁଖ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ପ୍ରଥମ – ଛାତ୍ରଙ୍କ ପାଇଁ ଉଦ୍ୟମିତା ପ୍ରେରଣା କାର୍ଯ୍ୟକ୍ରମ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର Entrepreneurship Motivation Programme ଆୟୋଜନ କରାଯିବ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରମାନଙ୍କୁ ଉଦ୍ୟମିତାର ସୁଯୋଗ, ନୂଆ ବ୍ୟବସାୟିକ ଚିନ୍ତାଧାରା, ଷ୍ଟାର୍ଟଅପ୍ ସଂସ୍କୃତି ଓ ସ୍ୱରୋଜଗାର ପ୍ରତି ପ୍ରେରିତ କରାଯିବ । ଦ୍ୱିତୀୟ – ଉଦ୍ୟୋଗୀଙ୍କ ପାଇଁ ତାଲିମ, ବିଶ୍ୱବିଦ୍ୟାଳୟ ସହ ଜଡିତ ଇଚ୍ଛୁକ ଓ ବର୍ତ୍ତମାନର ଉଦ୍ୟୋଗୀଙ୍କୁ ବ୍ୟବହାରିକ ତାଲିମ ଓ ଦକ୍ଷତା ବୃଦ୍ଧି ତାଲିମ ଦିଆଯିବ । ଏଥିରେ ବିଜନେସ ପ୍ଲାନ ପ୍ରସ୍ତୁତ, ଆର୍ଥିକ ପରିଚାଳନା, ଡିଜିଟାଲ ଟେକ୍ନୋଲୋଜି, ଉତ୍ପାଦ ବିକାଶ, ମାର୍କେଟିଂ ଓ ବ୍ୟବସାୟ ପରିଚାଳନା ଭଳି ବିଷୟ ରହିବ । ତୃତୀୟ – AI ଓ ହ୍ୟାଣ୍ଡହୋଲ୍ଡିଂ ସପୋର୍ଟ: କେବଳ ତାଲିମ ନୁହେଁ, ବ୍ୟବସାୟ ପ୍ରତିଷ୍ଠା ଓ ବିସ୍ତାର ପର୍ଯ୍ୟନ୍ତ ନିରନ୍ତର ସହାୟତା ଦିଆଯିବ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ନୂଆ ଟେକ୍ନୋଲୋଜିର ବ୍ୟବହାର, ଡିଜିଟାଲ ମାର୍କେଟିଂ, ବଜାର ସହ ଯୋଡିବା, ଆର୍ଥିକ ସହାୟତା ଓ ସରକାରୀ ଯୋଜନା ଓ ସବସିଡି ବିଷୟରେ ମାର୍ଗଦର୍ଶନ ଦିଆଯିବ । ଚତୁର୍ଥ – ବେରୋଜଗାରୀ ସମାଧାନ: ଯୁବକଙ୍କୁ କେବଳ ଚାକିରି ଖୋଜିବା ନୁହେଁ, ବରଂ ନିଯୁକ୍ତି ସୃଷ୍ଟି କରୁଥିବା ଉଦ୍ୟୋଗୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଯୁବକ ନିଜେ ବ୍ୟବସାୟ କଲେ ନିଜେ ଆତ୍ମନିର୍ଭର ହେବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୃଷ୍ଟି କରିପାରିବେ । ସୁବୀର ପଲ କହିଛନ୍ତି, ଦେଶର ଯୁବକଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ, ଦରକାର ସଠିକ୍ ମାର୍ଗଦର୍ଶନ, ଟେକ୍ନିକାଲ ଓ ଆର୍ଥିକ ସହାୟତା । ଡ. ଦେବେନ୍ଦ୍ର ସିଂହ ମଧ୍ୟ ଯୁବ ପ୍ରତିଭାକୁ ଉଦ୍ୟମିତା ସହ ଯୋଡିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକ ଯୁବକଙ୍କୁ ଆତ୍ମନିର୍ଭର କରିବା ଓ ଦେଶର ଅର୍ଥନୈତିକ ବିକାଶରେ ସାମିଲ କରିବା ଦିଗରେ ଏକ ବଡ ପଦକ୍ଷେପ ।