
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭାରତର ସର୍ବପୁରାତନ ଭାଷା ହେଉଛି ସଂସ୍କୃତ ଯାହାକି ଅନେକ ଭାଷାର ଜନନୀ ତେଣୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପିଏମଶ୍ରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାରେ ସଂସ୍କୃତ ସପ୍ତାହ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁଦତ୍ତ ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଦୁର୍ଲ୍ଲଭ ତାଣ୍ଡୀ ମୁଖ୍ୟବକ୍ତା, ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ସଂସ୍କୃତ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ, ସୁଧୀର କୁମାର ସଗ୍ରୀଆ, ପରିଚାଳନା କମିଟିର ସଭାପତି ଚମରୁ ବଏ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ସଂସ୍କୃତ ଶିକ୍ଷୟିତ୍ରୀ ମାନସୀ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ । ଶିକ୍ଷକ ସରୋଜ କୁମାର ବରିହା ସଭା ପରିଚାଳନା ଓ ଶିକ୍ଷୟିତ୍ରୀ ଅନୀତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ ପରେ ଅତିଥିମାନଙ୍କୁ ପୁଷ୍ପ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ବର୍ତ୍ତମାନ ସମୟରେ ସଂସ୍କୃତ ଭାଷା ମୃତପ୍ରାୟ ତେଣୁ ଭାଷାକୁ ଯଦି ବିଭିନ୍ନ ସମୟରେ ବାରମ୍ବାର ବ୍ୟବହାର କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଗଲେ ଭାଷାପ୍ରତି ଆଗ୍ରହ ବଢିବ ବୋଲି ଅତିଥି ମତ ଦେଇଥିଲେ । ଛାତ୍ରଛାତ୍ରୀମାନେ ସଂସ୍କୃତ ଭାଷାରେ ଗୀତ ଓ ବକ୍ତବ୍ୟ ପ୍ରଦାନ କରିଥିଲେ । ପୂର୍ବରୁ କରାଯାଇଥିବା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଦିବସଟିକୁ ସ୍ମରଣୀୟ କରିବା ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ଏହି ଉତ୍ସବରେ ସୁରେଶ ରାଉତ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।