jayashree

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ସ୍ଵାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆରଏମ୍‌ସି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସ୍ଥାନୀୟ ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସମବେତ କର୍ମଚାରୀ ଓ ଅଧିକାରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସ୍ଵାୟତ୍ତ ଶାସନ ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଧାୟକ ରାଉରକେଲା ସାରଦା ପ୍ରସାଦ ନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏକ ସୁସ୍ଥ ଓ ସ୍ଵଚ୍ଛ ରାଉରକେଲା ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଥିରେ ମହାନଗର ନିଗମର କର୍ମଚାରୀମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପୂର୍ବକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧାପ୍ରସାରଣ କରାଯାଇଥିଲା । ସ୍ଵାୟତ୍ତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ରାଉରକେଲା ମହାନଗର ନିଗମ ତରଫରୁ ବିବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ମହାନଗର ନିଗମର କର୍ମଚାରୀମାନଙ୍କ ମଧ୍ୟରେ କ୍ରିକେଟ, ଫୁଟବଲ୍, ଚେସ୍, ଲୁଡୁ, କବାଡ଼ି, ରଙ୍ଗୋଲି, ଗୁପଚୁପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକ, ଉପପୌରାୟୁକ୍ତ ତରୁଣ କାନ୍ତ, ଉପପୌରାୟୁକ୍ତ ବିଶ୍ୱରଞ୍ଜନ ମଲ୍ଲିକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ଆର୍‌ଏମ୍‌ସିର ଅଧିକାରୀ ଓ କର୍ମଚାରୀଙ୍କ ସହ ସ୍ଵଚ୍ଛସାଥୀ, ସ୍ଵଚ୍ଛ ସୁପରଭାଇଜର, ସଫେଇ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.