jayashree

ପାଇକମାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ସାଇନିଙ୍ଗ ଷ୍ଟାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ, ସାଧନ କର୍ମୀ ମାନଙ୍କୁ ନେଇ ଶୈକ୍ଷିକ କାର୍ଯ୍ୟକଳାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାର୍ଗଦର୍ଶନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ପ୍ରବେଶିକା କାର୍ଯ୍ୟକ୍ରମ (ଇଣ୍ଡକସନ ପ୍ରୋଗ୍ରାମ) ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଚକାମନ ସୁନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ସମୁଦାୟ ୩୨ ଜଣ ଛାତ୍ରଛାତ୍ରୀ ଏବଂ ୩୨ ଜଣ ଅଭିଭାବକ ଅଂଶଗ୍ରହଣ କରିଥିଲେ । ଏଥିସହ ୨୦ ଜଣ ବ୍ଲକ ସାଧନ କର୍ମୀ ଏବଂ ୨ ଜଣ ଜିଲ୍ଲା ସାଧନ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ଚାଲିଥିବା ସମୟରେ ସାଧନକର୍ମୀମାନେ ପ୍ରବେଶିକା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ସେମାନେ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକଳାପରେ ଅଂଶଗ୍ରହଣ ଏବଂ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ । ଏହାସହ ପିଲାମାନଙ୍କ ପାଠପଢ଼ାରେ ସହାୟତା କରିବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଅଭିଭାବକ ମାନଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା । ବୈଠକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ସାଧନକର୍ମୀ, ଶିକ୍ଷକମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା । ଉପସ୍ଥିତ ସମସ୍ତ ବ୍ୟକ୍ତି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ ଏବଂ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ପରିଶେଷରେ ସଭାପତି, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ସାଧନ କର୍ମୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସକ୍ରିୟ ଅଂଶଗ୍ରହଣ ତଥା ସହଯୋଗ ପାଇଁ ବବିତା ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା ।

Leave A Reply

Your email address will not be published.