jayashree

ବଲାଙ୍ଗିରରେ SIR-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଳବନ୍ତ ସିଂ ଆଜି ବଲାଙ୍ଗିର ଗସ୍ତରେ ଆସି ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ଏସ୍‌ଆଇଆର୍‌-୨୦୨୬ର ଖସଡ଼ା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିବୃନ୍ଦ, ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଓ ଡକ୍ଟର ବିଜୟାନନ୍ଦ ସେଠୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ କୁମାର ମେହେର ଏବଂ ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡ଼ା, ଜିଲ୍ଲାର ସମସ୍ତ ତହସିଲଦାର ଓ ବି.ଡି.ଓ.ମାନେ ଏଥିରେ ଉପସ୍ଥିତ ଥିଲେ । ଗସ୍ତ ଅବସରରେ ଶ୍ରୀ ସିଂ ବଲାଙ୍ଗିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୋଟିସ୍ ଶୁଣାଣି ସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ସେ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ବୁଥ୍‌ସ୍ତରୀୟ ଅଧିକାରୀ (ବି.ଏଲ୍‌.ଓ.), ସୁପରଭାଇଜର ଏବଂ ଭୋଟରମାନଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ସଂଶୋଧନ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସଠିକତା ବଜାୟ ରଖିବା ସହ ସମସ୍ତ ସ୍ତରରେ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ସିଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.