jayashree

ସମ୍ବଲପୁରୀ ଭାଷା ଓ ସଂସ୍କୃତିର ମହିମାରେ ଝଲସିଲା ଜେନିଥ୍ ପରିସର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ଜେନିଥ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ସମ୍ବଲପୁରୀ ଦିନ ତିନି ପର୍ଯ୍ୟାୟରେ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା । ଏହି ଉତ୍ସବ ଜେନିଥ୍ ଲିଓ, ଜେନିଥ୍ ସିବିଏସ୍‌ଇ ସ୍କୁଲ ଏବଂ ଜେନିଥ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ପର୍ଯ୍ୟାୟ କ୍ରମେ ଆୟୋଜିତ ହୋଇଥିଲା । ସମ୍ବଲପୁରୀ ପୋଷାକ, ଭାଷା, ଲୋକଗୀତ, ଲୋକନୃତ୍ୟ, କବିତା ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ସମଗ୍ର କ୍ୟାମ୍ପସ ସମ୍ବଲପୁରୀ ସଂସ୍କୃତିର ରଙ୍ଗରେ ରଙ୍ଗାୟିତ ହୋଇଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଜେନିଥ୍ ଗ୍ରୁପ୍‌ର ସମ୍ପାଦକ ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ ଯୁବପିଢ଼ିର ଭୂମିକା ଉପରେ ଆଲୋକପାତ କରିଥିଲେ । ଉପାଧ୍ୟକ୍ଷା ଶ୍ରୀମତୀ ମମତା ସିହ୍ନା ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷକ କେଶବ କର ସୁଚାରୁ ରୂପେ ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ଉପସ୍ଥାପକ ଓ ଭାଷା ଗବେଷକ ଅଶୋକ ବହିଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ଭାଷାର ବିଶିଷ୍ଟ ପ୍ରବକ୍ତା ସତ୍ୟନାରାୟଣ ବହିଦାରଙ୍କ ଜୀବନୀ ଓ ଅବଦାନ ଉପରେ ଆଲୋକପାତ କରିଥିଲେ । ପ୍ରଖ୍ୟାତ କଳାକାର ଓ ଆଶୁକବି ଜଟାଧାରୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଂସ ମହାରାଜଙ୍କ ପ୍ରସିଦ୍ଧ ସଂଳାପ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କୋଶଲ ଟାଇମ୍ସର ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ସମ୍ବଲପୁରୀ ଭାଷାର ମହତ୍ତ୍ୱ ଓ ଏହାର ସଂରକ୍ଷଣର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷ ଡଃ. ମନୋଜ କୁମାର ପଣ୍ଡା ପ୍ରାରମ୍ଭିକ ଭାଷଣରେ ସମ୍ବଲପୁରୀ ଭାଷା ଓ ଏହାର ଶବ୍ଦାବଳୀକୁ କବିତା ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ଅଧ୍ୟାପକ ସନ୍ତୋଷ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ଶିକ୍ଷକ ବ୍ରଜମୋହନ ମେହେର ଓ ଛାତ୍ରୀ ଲିପିରାଣୀ ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ । ଶେଷରେ ଉପାଧ୍ୟକ୍ଷ ରଞ୍ଜିତ କୋଚିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ପର୍ଯ୍ୟାୟରେ ଜେନିଥ୍ ଗ୍ରୁପ୍‌ର ସମ୍ପାଦକ ପବନ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବଲପୁରୀ ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ । ଜେନିଥ୍ ସିବିଏସ୍‌ଇ ସ୍କୁଲର ଅଧକ୍ଷ ଡଃ. ମନୋଜ କୁମାର ପଣ୍ଡା ନିଜ ବକ୍ତବ୍ୟରେ ସମ୍ବଲପୁରୀ ଭାଷା ଓ ସଂସ୍କୃତି ପଶ୍ଚିମ ଓଡ଼ିଶାର ଗୌରବମୟ ପରିଚୟ ବୋଲି କହିବା ସହ ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ନୂତନ ପିଢ଼ିକୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ଅଧକ୍ଷ ଚତୁର୍ଭୁଜ ପ୍ରଧାନ ପ୍ରାରମ୍ଭିକ ଭାଷଣରେ ସମ୍ବଲପୁରୀ ଭାଷାର ମାଧୁର୍ଯ୍ୟ ଓ ସମୃଦ୍ଧ ଶବ୍ଦାବଳୀକୁ କବିତା ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ଅଧ୍ୟାପକ ସ୍ୱାଧୀନ ଠେଲା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତିନି ପର୍ଯ୍ୟାୟରେ ଆୟୋଜିତ ଏହି ସମ୍ବଲପୁରୀ ଦିବସ ପାଳନ କେବଳ ଏକ ସାଂସ୍କୃତିକ ଉତ୍ସବରେ ସୀମିତ ନ ରହି, ନୂତନ ପିଢ଼ି ମଧ୍ୟରେ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ପରମ୍ପରା ପ୍ରତି ସମ୍ମାନ, ଭଲ ପାଇବା ଏବଂ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.