
- ୮୦ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ, ୧୦୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ
କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ସ୍ୱର୍ଗତ ଡାକ୍ତର ନେକିରାମ ଅଗ୍ରୱାଲଙ୍କ ସ୍ମୃତିରେ କଣ୍ଟାବାଞ୍ଜି ପ୍ରେସ କ୍ଲବ, ମାରୱାଡି ୟୁବା ମଞ୍ଚ (ବିକାଶ ଶାଖା) ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ କଣ୍ଟାବାଞ୍ଜି ହରିଭବନଠାରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଏଭଳି ଜନହିତକର ସେବା କାର୍ଯ୍ୟ ପାଇଁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟାମ ସିଂହ ସାଲୁଜା, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ସମ୍ପାଦକ ଅଭିଷେକ ଅଗ୍ରୱାଲ, ଡାକ୍ତର ନେକିରାମ ଅଗ୍ରୱାଲଙ୍କ ପରିବାର ସଦସ୍ୟ ତଥା ପ୍ରେସ କ୍ଲବ ପରାମର୍ଶଦାତା ଆଶିଷ ଖଇତାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ପରେଶ ରଞ୍ଜନ ସାଗର ମଞ୍ଚାସୀନ ଥିଲେ । ଏହି ଶିବିରରେ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ଆଧୁନିକ କମ୍ପ୍ୟୁଟରାଇଜ୍ଡ ଆଖି ପରୀକ୍ଷା ମଧ୍ୟ କରାଯାଇଥିଲା । ପରୀକ୍ଷା ସମୟରେ ୮୦ ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କର ନିଶୁଳ୍କ ଅସ୍ତ୍ରୋପଚାର କରାଯିବ ବୋଲି ଆୟୋଜକ ମାନେ ସୂଚନା ଦେଇଥିଲେ । ଏହା ସହ ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା । ଶିବିରର ମଂଚ ପରିଚାଲନା ପ୍ରେସ କ୍ଲବ କୋଷାଧ୍ୟକ୍ଷ ହନି ସିଂହ ମାଖିଜା କରିଥିବା ବେଳେ ପ୍ରେସ କ୍ଲବର ଉପସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେଶନ ମାଝି, ସଦସ୍ୟ ଜଗମୋହନ ତାଣ୍ଡି, ପ୍ରତୀକ ଦାସ, ଦେବେଶ ସିଙ୍ଗଲ ଏବଂ ମାରୱାଡି ୟୁବା ମଞ୍ଚ ବିକାଶ ଶାଖାର ନିଖିଲ ଅଗ୍ରୱାଲ, ନବନୀତ ଅଗ୍ରୱାଲ, ଆଜାଦ ବଂଶଲ, ମୟଙ୍କ ଜୈନଙ୍କ ସମେତ ସ୍ୱେଚ୍ଛାସେବୀ ପ୍ରମୋଦ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।