
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ୩ ଦଫା ଦାବି ନେଇ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କୃଷକ ସଙ୍ଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ତହସିଲ ଅଫିସ ଘେରାଉ କରାଯାଇଛି । କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର କୃଷକ ସଙ୍ଗଠନର ସଭାପତି ତଥା ଚାଷୀ ନେତା ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ହୋଇଛି । ପ୍ରଥମେ ବଙ୍ଗୋମୁଣ୍ଡା ଆର୍ଏମ୍ସି ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୃଷକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କୃଷକମାନଙ୍କୁ ୟୁରିଆ, ଡିଏପି ଓ ପଟାସ ସାର ଉପଯୁକ୍ତ ମୂଲ୍ୟରେ ପ୍ରଦାନ କରାଯାଉ । କଳାବଜାରୀ ବନ୍ଦ କରି ଚଢା ଦରରେ ସାର ବିକ୍ରୟ ବନ୍ଦ କରାଯାଉ, ସମସ୍ତ ଚାଷୀମାନଙ୍କୁ ସମସ୍ତ ବିହନ, କୀଟନାଶକ, ସାର ଓ କୃଷି ଯନ୍ତ୍ରପାତିରେ ରିହାତି ପ୍ରଦାନ କରାଯାଉ, ଚାଷୀ ମାନଙ୍କୁ ୟୁରିଆ ସାର ପ୍ରତ୍ୟେକ ସେବା ସମବାୟ ସମିତି ସଂସ୍ଥା ଦ୍ୱାରା ରିହାତି ସହ ଦିଆଯାଉ ବୋଲି ଦାବି କରାଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଛବି ପୋଢ଼ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ହୋଇଛି । ଏଥିରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଚାଷୀମାନେ ସାମିଲ ହୋଇଥିଲେ । ଆଗାମୀ ୭ ଦିନ ମଧ୍ୟରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।