jayashree

ବର୍ଷାରେ ଭାସିଗଲା ‘ବିକଶିତ ଗାଁ’ର ବିକାଶ

  • ମୁରୁମ ନାଁରେ ମାଟି ! ୩ ଲକ୍ଷ ଟଙ୍କାର କାମକୁ ନେଇ ବଡ଼ ପ୍ରଶ୍ନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତର ତୁର୍ଲା–ଭୁର୍ସିବାଞ୍ଜି ରାସ୍ତାରେ ‘ବିକଶିତ ଗାଁ–ବିକଶିତ ଓଡ଼ିଶା’ ଯୋଜନାରେ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ମୁରୁମ କାମକୁ ନେଇ ଗୁରୁତର ଅନିୟମିତତାର ଅଭିଯୋଗ ଉଠିଛି । ମାତ୍ର ଦୁଇ ଦିନର ବର୍ଷାରେ ରାସ୍ତା କାଦୁଅରେ ପରିଣତ ହୋଇଯିବା ପରେ କାମର ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ସ୍ଥାନୀୟଙ୍କ ଅଭିଯୋଗ, ନିୟମ ମୁତାବକ ମୁରୁମ ପରିବର୍ତ୍ତେ ମାଟି ପକାଯାଇଥିଲା ଏବଂ ରୋଲର କମ୍ପାକ୍ସନ୍ ମଧ୍ୟ କରାଯାଇନଥିଲା । ଏପରି ସ୍ଥିତିରେ ବିଲ୍ ପାସ୍ ପ୍ରସ୍ତୁତି ଚାଲିଥିବା ଅଭିଯୋଗ ସରକାରୀ ଅର୍ଥର ଅପବ୍ୟବହାର ପ୍ରତି ସନ୍ଦେହକୁ ଆହୁରି ଗଭୀର କରିଛି । ରାସ୍ତାର ଦୂରବସ୍ଥା ଯୋଗୁଁ ସାଧାରଣ ଲୋକ ଓ ସ୍କୁଲ ଛାତ୍ରଛାତ୍ରୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଅନ୍ୟପଟେ, କାମ ବଣ୍ଟନ ଓ କମିଶନ (ପିସି) କାରବାରକୁ ନେଇ ମଧ୍ୟ ସ୍ଥାନୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି । ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ସାପେକ୍ଷ । ତେବେ ପ୍ରଶ୍ନ ଉଠୁଛି—ବର୍ଷା ଋତୁରେ ଏଭଳି କାମକୁ ଅନୁମତି କିଏ ଦେଲା ? ଯନ୍ତ୍ରୀଙ୍କ ତଦାରଖ କେଉଁଠି ଥିଲା ? ସ୍ଥାନୀୟ ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ନିୟମ ଅନୁଯାୟୀ ରାସ୍ତାର ପୁନଃନିର୍ମାଣ ଦାବି କରିଛନ୍ତି ।

Leave A Reply

Your email address will not be published.