
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ବ୍ରହ୍ମପୁର ସହର ଉପକଣ୍ଠ ଆମ୍ବଗଡ ସ୍ଥିତ ଜରା ନିବାସ ଠାରେ ଆଶ୍ରୟ ନେଇଥିବା ଅନ୍ତେବାସୀଙ୍କୁ ନୂତନ ଶାଢ଼ୀ, ପୋଷାକ ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । କ୍ଲବର ପୂର୍ବତନ ସଭାପତି ତଥା ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ସମ୍ବିତ୍ ବେଗରାୟ ଏବଂ ଅଧ୍ୟାପିକା ଡକ୍ଟର ସରିତା ବେଗରାୟଙ୍କ ପୁତ୍ର ଆୟୁଷ୍ମାନ ସମ୍ୟକର ଜନ୍ମ ଦିବସ ଅବସରରେ ଅସହାୟ ବୃଦ୍ଧା ଓ ବୃଦ୍ଧ ମାନଙ୍କୁ ନୂତନ ଶାଢୀ, ପୋଷାକ ପ୍ରଦାନ ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହିଭଳି ବଦ୍ୟାନ କାର୍ଯ୍ୟକ୍ରମ କ୍ଲବ ସହଯୋଗରେ ଆୟୋଜନ କରାଯାଇଥିବା ପରିପ୍ରେକ୍ଷୀରେ ଅନ୍ତେବାସୀବୃନ୍ଦ ସମ୍ୟକକୁ ଆଶୀର୍ବାଦ ପ୍ରଦାନ କରି ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କ୍ଲବର ସଭାପତି ଆଡଭୋକେଟ୍ ହୃଶିକେଷ ପ୍ରଧାନ ଓ ସମ୍ପାଦକ ଶାନ୍ତନୁ ପାତ୍ରଙ୍କ ନେତୃତ୍ଵରେ ପୂର୍ବତନ ସଭାପତି ଅସିତ୍ ଦତ୍ତ, ଜୟନ୍ତ କିଶୋର ପାତ୍ର, ଦୁର୍ଗା ରାଓ, ଭିକାରୀ ଚରଣ ସାହୁ ପ୍ରମୁଖ ଉକ୍ତ “ମାନବ ସେବା ହିଁ ମାଧବ ସେବା” କାର୍ଯ୍ୟକ୍ରମରେ ସହଯୋଗ କରି ବୃଦ୍ଧାବୃଦ୍ଧଙ୍କ ମୁଖରେ ହସ ଫୁଟାଇ ଅନ୍ତେବାସୀ ସଭିଙ୍କ ମନରେ ଉଲ୍ଲାସ ଆଣି ଦେଇଥିଲେ ।