
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓମ୍ ଭ୍ୟାଲି ସ୍କୁଲର ପୂର୍ବତନ ଛାତ୍ରୀ ପ୍ରିତିଶା ବାନାର୍ଜୀ ଆଜି ନିଜ ଅଞ୍ଚଳର ନା କରି ପାରିଛନ୍ତି । ପିତା ବିରେଶ୍ୱର୍ ବାନାର୍ଜୀ ଓ ମାତା ପୁଷ୍ପିତା ଖଟୁଆଙ୍କ ସୁକନ୍ୟା ପ୍ରିତିଶା ବାନାର୍ଜୀଙ୍କ ଭାରତର ପ୍ରଥମ ବେସରକାରୀ କକ୍ଷୀୟ ପ୍ରକ୍ଷେପଣ ଯାନ ବିକ୍ରମ୍-୧ରେ ଗୌରବମୟ ସଫଳତା ଅର୍ଜନ କରିଛନ୍ତି । ଟିଟିଲାଗଡ଼ ସେଣ୍ଟଆନି ସ୍କୁଲରେ ଦଶମ ବୋର୍ଡ ପାସ କରିବା ପରେ ସହରର ପ୍ରତିଷ୍ଠିତ ସିବିଏସଇ ଅନୁବନ୍ଧିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ । ଓମ୍ ଭ୍ୟାଲି ସ୍କୁଲରେ ଶିକ୍ଷା ସହିତ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ପାଇଁ ଉତ୍କୃଷ୍ଟତମ ମାର୍ଗଦର୍ଶନ ପ୍ରଦାନ କରାଯାଇଥାଏ । ଉଦାହରଣ ସ୍ୱରୂପ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ନିଜର କଠିନ ପରିଶ୍ରମ, ଅନନ୍ୟ ନିଷ୍ଠା ଏବଂ ଅଟଳ ସଂକଳ୍ପ ବଳରେ ସଫଳତାର ଉତ୍ତୁଙ୍ଗ ଶିଖର ସ୍ପର୍ଶ କରିଛନ୍ତି । ଶିକ୍ଷାନୁଷ୍ଠାନ ଏପରି ଅନେକ ପ୍ରତିଭାଙ୍କ ଉତ୍କର୍ଷତାର ପ୍ରମାଣ ଦେଇଆସିଛି । ଗତ ୧୮ ଜୁଲାଇରେ ସ୍କାଏ ରୁଟ୍ ଏରୋସ୍ପେସ୍ ଦ୍ୱାରା ପ୍ରକ୍ଷେପିତ ଭାରତର ପ୍ରଥମ ସ୍ୱଦେଶ-ନିର୍ମିତ ବେସରକାରୀ କକ୍ଷୀୟ ପ୍ରକ୍ଷେପଣ ଯାନ ବିକ୍ରମ୍-୧ ଅଭିଯାନରେ ପ୍ରତିଶା ଏଭିଓନିକ୍ ସଫ୍ଟୱେର୍ ରିଲାଏବିଲିଟି ଇଞ୍ଜିନିୟର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଶିକ୍ଷାନୁଷ୍ଠାନର ନାମକୁ ଗୌରବାନ୍ୱିତ କରିଛନ୍ତି । ଉଲ୍ଲେଖନୀୟ ଯେ, ସେ ୨୦୨୧ ମସିହାରେ କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜରୁ ସ୍ନାତକ ଶିକ୍ଷା ତଥା ଭୁବନେଶ୍ୱର ସ୍ଥିତ ସିଟିଟିସି ତାଲିମ କେନ୍ଦ୍ରରୁ ପ୍ରୋସେସ୍ ଏବଂ ଅଟୋମେସନ୍ କଣ୍ଟ୍ରୋଲ ବିଷୟରେ ସ୍ନାତକୋତ୍ତର (ମାଷ୍ଟର୍ସ) ଉପାଧି ହାସଲ କରିଛନ୍ତି । ଏହି ସଫଳତା ପ୍ରାପ୍ତି ପରେ ପ୍ରିତିଶା ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ବିଦ୍ୟାଳୟରେ ପ୍ରାପ୍ତ ସଂସ୍କାର, ଅନୁଶାସନ ଏବଂ ପ୍ରୋତ୍ସାହନ ହିଁ ତାଙ୍କ ମନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହକୁ ଦୃଢ଼ କରିଥିଲା । ଯାହାର ପରିଣାମ ସ୍ୱରୂପ ଆଜି ସେ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିପାରିଛନ୍ତି । ସେ କହିଛନ୍ତି ଯେ, ବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଶିକ୍ଷା ଏବଂ ସଂସ୍କାର ସର୍ବଦା ତାଙ୍କ ଜୀବନର ଭିତ୍ତିପ୍ରସ୍ତର ହୋଇରହିବ । ଏହି ଅବସରରେ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଲାୟନ୍ ଦୀପକ କୁମାର ସାହୁ ପୂର୍ବତନ ଛାତ୍ରୀ ପ୍ରିତିଶା ବାନାର୍ଜୀଙ୍କୁ ହୃଦୟସ୍ପର୍ଶୀ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇ କହିଛନ୍ତି ଯେ, ଏହି ସଫଳତା କେବଳ ଜଣେ ଛାତ୍ରୀର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ଓମ୍ ଭ୍ୟାଲି ବିଦ୍ୟାଳୟ-ପରିବାରର ଅକ୍ଳାନ୍ତ ପରିଶ୍ରମ ଏବଂ ସମର୍ପିତ ଶିକ୍ଷାଦାନ-ପଦ୍ଧତିର ପ୍ରତ୍ୟକ୍ଷ ପ୍ରତିଫଳନ ଅଟେ । ସେ କହିଛନ୍ତି ଯେ, ପ୍ରିତିଶାଙ୍କ ଏହି ସଫଳତା ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା-ସ୍ରୋତ ସିଦ୍ଧ ହେବ ତଥା ତାଙ୍କର ଆଗ୍ରହ, ଚେଷ୍ଟା, ନିଷ୍ଠା ଏବଂ ପରିଶ୍ରମ ନିଶ୍ଚିତ ଭାବେ ଆଗାମୀ ପିଢ଼ିମାନଙ୍କୁ ପ୍ରେରଣା ଦେବ । ପ୍ରିତିଶାଙ୍କ ଘରକୁ ଯାଇ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏମ୍ ନାଗା ମାଲେଶ୍ଵର ରାଓ, ମୁଖ୍ୟ ପରାମର୍ଶ ଦାତା ଡ. ରବିନ୍ ଚନ୍ଦ୍ର ପରମାଣିକ ନେତୃତ୍ଵ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିରନ୍ତର ପ୍ରୟାସର ସଫଳତା ବୋଲି କହିଛନ୍ତି । ପ୍ରିତିଶାଙ୍କୁ ତାଙ୍କ ଭବିଷ୍ୟତ ଯାତ୍ରା ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।