
ବଲାଙ୍ଗିର, (କେପିଏନ୍ଏସ୍) : ଆଧୁନିକ ଜ୍ଞାନକୌଶଳକୁ ମାନବ ସମାଜ ଆପଣେଇ ନେବା ଏକ ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ତା ଉପରେ ଅତ୍ୟଧିକ ନିର୍ଭରଶୀଳତା କ୍ଷତିକାରକ ହୋଇପାରେ । କୃତ୍ରିମ ବୁଦ୍ଧିମତ୍ତାକୁ ଆମେ ଆମର ସହଯୋଗୀ ଭାବରେ ବ୍ୟବହାର କରିପାରିବା, କିନ୍ତୁ ଏହାକୁ ଆମେ ଆମର ଶିକ୍ଷାଗୁରୁ ଭାବରେ ଗ୍ରହଣ କରିନେଲେ ପଥଭ୍ରଷ୍ଟ ହେବାର ଆଶଙ୍କା ରହିଛି । ସ୍ଥାନୀୟ ସାମ୍ବାଦିକ ଭବନ ସଭାକକ୍ଷରେ ସାହିତ୍ୟ-ସମାଜ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ତରଫରୁ ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି । ଏଥିରେ ଅତିଥି ବକ୍ତା ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ବିଭୂତି ଭୂଷଣ ମଲିକ ଯୋଗଦେଇ “କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ମାନବୀୟ ମୂଲ୍ୟବୋଧ” ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ପ୍ରତିକ ସମୟରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉପଯୋଗୀ ହୋଇ ପାରିଛି । କିନ୍ତୁ ଆମର ଦୈନନ୍ଦିନ ଜୀବନରେ ଏହାର ନକାରାତ୍ମକ ଦିଗ ପ୍ରତି ଦୃଷ୍ଟି ନଦେଲେ ମାନବୀୟ ମୂଲ୍ୟବୋଧର ଅବକ୍ଷୟ ହେବା ସହିତ ସମାଜ ଉପରେ ଏହାର କୁପ୍ରଭାବ କେତେ ଭୟଙ୍କର ହୋଇପାରେ ସେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ତେଣୁ ଡିଜିଟାଲ ସାକ୍ଷରତା ଓ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ । ଆରମ୍ଭରେ ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଗଗନ ସ୍ୱାଇଁଙ୍କ ସୃଜନ ସଂଭାର ସମ୍ପର୍କରେ ସୂଚନା ଦେଇଥିଲେ । ପରେ କବି ଆନନ୍ଦ ଚନ୍ଦ୍ର ସାହୁ, ସସ୍ମିତା ନେପାକ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ଅଧ୍ୟାପକ ଡ଼. ଲକ୍ଷ୍ମଣ ମେହେର ଗଗନ ସ୍ୱାଇଁଙ୍କ କୃତିରୁ କିଛି ପଢି ଶୁଣାଇଥିଲେ । ‘ରଚନା’ର ସଦସ୍ୟା ଝରଣା ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ସହରର ଅନେକ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ ଓ ସାହିତ୍ୟିକ ଯୋଗଦେଇଥିଲେ ।