
ଭୁବନେଶ୍ୱର, (କେପିଏନ୍ଏସ୍) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅସଂଖ୍ୟ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଦଳ ଅଭିଯୋଗ କରିଛି ଯେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ କରି ରାଜ୍ୟର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରାଯାଇଛି । ଏହାର ପ୍ରତିବାଦରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଥିଲା ବଜେଡି । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ବିଜେଡି ନିଷ୍ପତ୍ତି ନେଇଥିଲା । ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଏପର୍ଯ୍ୟନ୍ତ ୧୬ଟି ସାଂଗଠନିକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଗାମୀ ଦିନରେ ଅବଶିଷ୍ଟ ୧୭ଟି ସାଂଗଠନିକ ଜିଲ୍ଲାରେ ମଧ୍ୟ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଜୋରଦାର କରାଯିବ। ଅନ୍ୟପଟେ, ସରକାରଙ୍କ ନିର୍ଦ୍ଦେଶ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। କିନ୍ତୁ କେବେ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ ପୁସ୍ତକ ମିଳିବ, ସେନେଇ ସରକାର ସ୍ପଷ୍ଟ ସମୟସୀମା ଘୋଷଣା କରନ୍ତୁ ବୋଲି ବିଜେଡି ଦାବି କରିଛି। ବିଜେପି ପକ୍ଷରୁ ଏହି ଘଟଣାରେ କେବଳ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିବା ବେଳେ, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ସାମିଲ ଥିବା କୋର କମିଟିର ସଦସ୍ୟ ଓ ଅନ୍ୟାନ୍ୟ ଅଣ-ସରକାରୀ ବ୍ୟକ୍ତିଙ୍କୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ବିଜେଡି ପ୍ରଶ୍ନ ଉଠାଇଛି।