
ପୁରୀ, (କେପିଏନ୍ଏସ୍) : ପୁରୀ ସିଂହଦ୍ୱାରରେ ତିନି ଠାକୁର । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି ରଥାରୁଢ ଠାକୁରଙ୍କର । ଭଳିକି ଭଳି ବେଶରେ ଠାକୁରଙ୍କୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି ଭକ୍ତ । ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ସୂଚନା ଅନୁଯାୟୀ, ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ହେବ । ରାତି ୮ଟା ବେଳକୁ ଏହି ନୀତି ସମ୍ପାଦିତ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି। ତେବେ ଆସନ୍ତାକାଲି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଅଧର ପଣା ଲାଗି ହେବା ପରେ ରଥର ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କ ଲାଗି ଭଙ୍ଗାହେବ ଅଧର ହାଣ୍ଡି । ଆଷାଢ ଶୁକ୍ଲ ଦ୍ୱାଦଶୀ ତିଥିରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ଅଧର ପଣା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ହାଣ୍ଡି । କ୍ଷୀର, ଛେନା, କର୍ପୁର, ଗୁଜୁରାତି ଆଦି କେତେ ପ୍ରକାର ଜିନିଷ ପଡି ପ୍ରସ୍ତୁତ ହୋଇଥାଏ ଏହି ଅଧରପଣା। ତିନି ଠାକୁରଙ୍କ ସାମ୍ନାରେ ୩ଟି ଲେଖାଏଁ ହାଣ୍ଡି ପଣା ଭୋଗ ହେବ । ପଣା ଭୋଗ ପରେ ଏହି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯିବାର ପରଂପରା ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହମାନଙ୍କର ଅଧର ପର୍ଯ୍ୟନ୍ତ ମାପରେ ନିର୍ମିତ ତିନି ତିନିଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ ।