
ବଲାଙ୍ଗିର, (କେପିଏନ୍ଏସ୍) : ଆଜିର ଅତ୍ୟାଧୁନିକ ଯୁଗରେ ବି ଅନ୍ଧବିଶ୍ୱାସର କରାଳ ଛାଇ ସମାଜକୁ କଳୁଷିତ କରୁଥିବା ବେଳେ ଆଜି ପୁଣି ଏକ ଅଭାବନୀୟ ଘଟଣା ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁରୁ ଆସିଛି । ବୀରମୁଣ୍ଡା ଗାଁର ମଙ୍ଗଲୁ ଖର୍ସେଲ୍ଙ୍କ ପତ୍ନୀ ୬୫ ବର୍ଷ ବୟସ୍କା ଶ୍ରୀମତୀ ରାଏମତି ଖର୍ସେଲ୍ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗାଁର ସୁଶାନ୍ତ ଖର୍ସେଲ୍ ତାଙ୍କୁ ତଣ୍ଡେଇ ଓ ତାଙ୍କ ସ୍ୱାମୀଙ୍କୁ ଗୁଣିଆ ବୋଲି ଅପପ୍ରଚାର କରୁଥିବା ବେଳେ ତାଙ୍କ କଥାରେ ପଡ଼ି ଚକିତ ଖର୍ସେଲ୍ ଗତକାଲି ମଧ୍ୟାହ୍ନରେ ରାଏମତୀଙ୍କ ଘରକୁ ଆସି ଅଶ୍ଲୀଳ ଭାଷାରେ ଗାଳିଗୁଲଜ୍ କରିଛନ୍ତି । ଏଭଳି ବିଗତ ଦିନରେ ମଧ୍ୟ ବାରମ୍ବାର ସେମାନେ ଗାଳିଗୁଲଜ କରୁଥିବା ରାଏମତୀ ଅଭିଯୋଗ କରିଛନ୍ତି । ଗାଁରେ ଏଭଳି ଅପପ୍ରଚାର ଯୋଗୁଁ ଲୋକେ ଆମ ସ୍ୱାମୀ ସ୍ତ୍ରୀଙ୍କ ପାଖ ମାଡ଼ୁ ନଥିବା ବେଳେ ବାରମ୍ବାର ଅପମାନିତ ହେବାକୁ ପଡ଼ୁଥିବା କହିଛନ୍ତି ରାଏମତୀ । ଏହି ଘଟଣାର ଉଚିତ୍ ତଦନ୍ତ ପାଇଁ ବଲାଙ୍ଗିର ସଦର ଥାନା ଅଧିକାରୀଙ୍କୁ ରାଏମତୀ ଅନୁରୋଧ କରିଛନ୍ତି ।