ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା। କଫ୍ ସିରପ୍ ଚୋରା କାରବାର, ବ୍ରାଉନସୁଗର ଚାଲାଣ ଓ ଲୁଟମାର ଘଟଣାର ପର୍ଦ୍ଦାଫାସ କରି ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏହି ସମ୍ପର୍କରେ ଗୁରୁବାର ଅପରାହ୍ନ ୪ଟାରେ ବରଗଡ଼ ଏସ୍ପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପୋଲିସ ସୂଚନା ଅନୁଯାୟୀ, ବରମଚାରୀ ବ୍ରିଜ୍ ନିକଟରେ ଚଢ଼ାଉ କରି ୧୧୮୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି। ଏହି ଘଟଣାରେ ପଦ୍ମପୁର ଖୁଟପାଲିର ବିନୋଦ କୁମାର ସାହୁ ଓ ଚାରପାଲିର ଶିବଶଙ୍କର ନାଗଙ୍କୁ ଗିରଫ କରାଯାଇଛି । ସେହିପରି ଜିରା ନଦୀ କୂଳରୁ ୨୬୪ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ । ତଦନ୍ତରୁ ଏହି ନିଶାଦ୍ରବ୍ୟ ବନାରସରୁ ବରଗଡ଼କୁ ଚାଲାଣ ହୋଇ ବିକ୍ରି ହେଉଥିବା ଜଣାପଡ଼ିଛି । ଏହି ମାମଲାରେ ବନାରସର ସେକ କାଲିମ, ଗାଜିପୁରର ମାଣିକ ରାଜପାଳ ଏବଂ ବରଗଡ଼ ଖଜୁରଟିକ୍ରାର ସଚିନ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାଛଡ଼ା ରାତିରେ ରାସ୍ତାରେ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ୍ କରି ଲୁଟମାର କରୁଥିବା ଏକ ଗ୍ୟାଙ୍ଗର ମଧ୍ୟ ପର୍ଦ୍ଦାଫାସ କରିଛି ଟାଉନ ପୋଲିସ । ତଳିପଡ଼ାର ସୋନୁ ସାହୁ, ଟାଙ୍ଗରପଡ଼ାର ବବଲୁ ଭୁଏ ଓ ତୋରାର ଜି. ରବି ପ୍ରସାଦଙ୍କୁ ଗିରଫ କରାଯିବା ସହ ଲୁଟ୍ ହୋଇଥିବା ସାମଗ୍ରୀ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବରଗଡ଼ ଟାଉନ ପୋଲିସ ସୂଚନା ଦେଇଛି ।
