ବ୍ରହ୍ମପୁର, (କେପିଏନ୍ଏସ୍) : ରାଜ୍ୟରେ ଚଳିତ ଜୁଲାଇ ମାସରେ ଭଲ ମୌସୁମୀ ବର୍ଷା ପରେ ଚାଷୀମାନେ ଖରିଫ ଧାନ ଚାଷ ପାଇଁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଏତିକି ବେଳେ ଦେଖାଦେଇଥିବା ସାର ସଙ୍କଟ ଚାଷ ପାଇଁ ଚାଷୀଙ୍କ ସରାଗ ଭାଙ୍ଗି ଦେଇଛି । ରାଜ୍ୟର ଏକାଧିକ ଜିଲ୍ଲାରେ ୟୁରିଆ ଏବଂ ଡିଏପି ସାର ପାଇଁ ଚାଷୀ ରାତି ଅଧରୁ ପାକୁ ଓ ଲ୍ୟାମ୍ପ ଆଗରେ ଆଧାର କାର୍ଡ ଦେଇ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । ମାତ୍ର ସେମାନଙ୍କୁ ଆବଶ୍ୟକ ପରିମାଣରେ ସାର ମିଳୁ ନାହିଁ । ହେଲେ ଖୋଲାବଜାରରେ ଚଢ଼ା ଦରରେ କିନ୍ତୁ ସାର ଯାହାକୁ ଯେତେ ମିଳୁଥିବା ପରିଲକ୍ଷିତ ହେଉଛି । ଏହାକୁ ନେଇ ଚାଷୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ସମାନ ସମୟରେ ସରକାରଙ୍କ ଏକ ନିର୍ଦ୍ଦେଶନାମା ଏହି ଅସନ୍ତୋଷକୁ ଦ୍ୱିଗୁଣିତ କରିଛି । ତେଣୁ ସରକାର ଯଥାଶୀଘ୍ର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ଯୋଗାଇ ଦିଅନ୍ତୁ ବୋଲି ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଦାବି କରିଛନ୍ତି । ଅନ୍ୟପଟେ ସରକାର ସମବାୟ ସମିତି ଜରିଆରେ ସାର ଯୋଗାଣ ବ୍ୟବସ୍ଥା ନ କରି ଅପରପକ୍ଷେ ଡିଲରଙ୍କ ଦ୍ୱାରା ବଣ୍ଟନ ଦାୟିତ୍ୱ ହସ୍ତାନ୍ତର କରିଥିବାରୁ କଳାବଜାରୀ ହେଉଥିବା ଶ୍ରୀ ରଥ ଅଭିଯୋଗ କରିଛନ୍ତି । ଧାନତଳି ଓ ରୁଆପୋତା ପାଇଁ ଚାଷୀକୁ ଏବେ ୟୁରିଆ ଓ ଡିଏପି ସାର ଆବଶ୍ୟକ ଥିବାବେଳେ ରାଜ୍ୟ ସରକାର ଏହା ବଦଳରେ ଆମୋନିୟମ୍, ସଲ୍ଫେଟ୍ ଓ କମ୍ପେ୍ଲକ୍ସ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅଞ୍ଚଳରେ ସାର କଳାବଜାର ହୋଇ ୟୁରିଆସାର ସରକାରୀ ଦର ୨୬୬ ଥିବା ବେଳେ ଚାଷୀମାନେ ବାହାରୁ ୭୦୦ ଟଙ୍କାରେ କ୍ରୟ କରୁଥିବା ଅଭିଯୋଗ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ କୁହାଯାଉଥିଲେ ମଧ୍ୟ ଚାଷୀମାନେ ଆଜି ଶୋଷଣର ଶିକାର ହେଉଛନ୍ତି । ଗତ ଖରିଫ ଋତୁରେ ଧାନ କିଣାରେ ବ୍ୟାପକ ହେରଫେର ଅଭିଯୋଗ ହୋଇଥିଲେ ମଧ୍ୟ ଏ ଦିଗରେ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି । ଅନ୍ୟପଟେ ୟୁରିଆ ବଦଳରେ ଆମୋନିୟମ୍, ସଲ୍ଫେଟ୍ ବ୍ୟବହାର କରିବାକୁ ଚାଷୀ ଅନିଚ୍ଛା ପ୍ରକାଶ କରୁଛନ୍ତି । କାରଣ ୧ କୁଇଣ୍ଟାଲ ୟୁରିଆରେ କ୍ଷେତକୁ ୪୬ କିଲୋ ନାଇଟ୍ରୋଜେନ ମିଳେ ମାତ୍ର ସେହି ୧ କୁଇଣ୍ଟାଲ ଆମୋନିୟମ୍ ସଲ୍ଫେଟ୍ରେ ୨୦ କିଲୋ ନାଇଟ୍ରୋଜେନ ମିଳିବ, ଯାହାଦ୍ୱାରା ଚାଷୀର ଉତ୍ପାଦନ ପ୍ରଭାବିତ ହେବ । ଏହା ବ୍ୟତୀତ ୟୁରିଆ ତୁଳନାରେ ଆମୋନିୟମ୍, ସଲ୍ଫେଟର ଦାମ୍ ମଧ୍ୟ ଅଧିକ ରହୁଛି, ଯାହାକୁ ନେଇ ଚାଷୀକୁଳରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଛି । ୟୁରିଆସାର ମହଜୁଦ ନଥିବାରୁ ଚାଷୀମାନଙ୍କୁ ବିକଳ୍ପ ଭାବେ ଅନ୍ୟ ସାର ନେବାକୁ ବାଧ୍ୟ କରାଯାଉଛି । ଚାଷୀଙ୍କୁ ସରକାର ପର୍ଯ୍ୟାପ୍ତ ପରିମାଣର ୟୁରିଆସାର ଯୋଗାଇଦେବାକୁ ଚାଷୀ ସୁରକ୍ଷା ଅଭିଯାନର ଆବାହକ ଶ୍ରୀ ରଥ ଦାବି କରିଛନ୍ତି ।
