ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଥିବା ଦାସୀରି ଜଗନ୍ନାଥ ମନ୍ଦିର, ସୀତାରାମପଲ୍ଲୀର ପଣ୍ଡା ଜଗନ୍ନାଥ ମନ୍ଦିର ଏବଂ ରାଜାଘରର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ହେଉଥିବା ଶ୍ରୀଗୁଣ୍ଡିଚା ଯାତ୍ରାର ପରଦିନଠାରୁ ପାରମ୍ପରିକ ଭାବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦଶ ଅବତାର ବେଶ ଅନୁଷ୍ଠିତ ହେଉଛି, ଠାକୁରଙ୍କ ଅବତାର ବେଶ ମଧ୍ୟରେ ଦୈନିକ ନୀତିକାନ୍ତି ପ୍ରଚଳିତ ହୋଇଥାଏ । ସୋମବାର ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀନୃସିଂହ ବେଶ ଅବତାରକୁ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରି ଆସୁଛନ୍ତି । ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପକ୍ଷରୁ ପରିଚାଳିତ ଛତ୍ରପୁର ସହରର ମଝିବଜାର ଉପରେ ଅବସ୍ଥିତ ଗୁଣ୍ଡିଚା ମନ୍ଦିରରେ ସୋମବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀନୃସିଂହ ଅବତାର ବେଶ ଦେଖି ଅଗଣିତ ଭକ୍ତଜନ ଆତ୍ମ ବିଭୋର ହୋଇ ଉଠିଛନ୍ତି । ସୋମବାର ସନ୍ଧ୍ୟାବେଳେ ଯଥା ରୀତନୀତି ସହ ସଅଳ କରି ସନ୍ଧ୍ୟା ଆରତୀ ବନ୍ଦାପନା ସମ୍ପନ୍ନ ହେବା ପରେ ଗୁଣ୍ଡିଚା ମନ୍ଦିରରେ ପବିତ୍ର ନିଆରା ହେରା ପଞ୍ଚମୀପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମନ୍ଦିରରୁ ମହାଲକ୍ଷ୍ମୀ ଚଳନ୍ତି ପ୍ରତିମା ଠାକୁରଙ୍କୁ ଦୋଳ ବିମାନରେ ବସାଇ ଘଣ୍ଟଘଣ୍ଟା, ମୃଦଙ୍ଗ ଝାଞ୍ଜ କାହାଳୀର ଶବ୍ଦ ଧ୍ୱନିରେ ନଗର ପରିଭ୍ରମଣ କରାଇଥିଲେ । ନଗର ଭ୍ରମଣରେ ଆସି ଗୁଣ୍ଡିଚା ମନ୍ଦିରରେ ମହାଲକ୍ଷ୍ମୀ ପହଞ୍ଚିଥିଲେ । ବୈଧାନିକ ନୀତିରେ ମହାଲକ୍ଷ୍ମୀ ପହଞ୍ଚିଲା ବେଳକୁ ସାହାଣା ମେଲା କବାଟ ବନ୍ଦ କରି ଦିଆଯାଇଥିଲା । ପରେ ମହାଲକ୍ଷ୍ମୀ ରାଗ-ଅଭିମାନ କରି ନନ୍ଦିଘୋଷ ରଥ ଭାଙ୍ଗି ହେରା ଗୌରୀ ସାହି ବାଟେ ଫେରି ଯାଇଥିଲେ ବୋଲି ଏହି ନିଆରା ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ସ୍ମୁତି ଲେଉଟାଇ ବିଦ୍ଧିବଦ୍ଧ ଭାବେ ଏଠାରେ ମଧ୍ୟ ପାଳନ କରାଯାଇଛି । ଏପରିକି ଗୁଣ୍ଡିଚା ମନ୍ଦିରରେ ବିଜେ କରି ସିଂହାସନ ଆରୋହଣ କରିଥିବା ଚତୁର୍ଦ୍ଧାବିଗ୍ରହଙ୍କ ଚିତ୍ତାକର୍ଷକ ସାଜସଜ୍ଜା ଶ୍ରୀଜୀଉଙ୍କ ସୁନ୍ଦର ବେଶରେ ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ଏହି ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ବଳଦେବ ଜୀଉ ଶ୍ରୀ ବଳଭଦ୍ର ସ୍ୱାମୀଙ୍କ ହସ୍ତରେ ହଳ ଲଙ୍ଗଳ, ଦେବୀ ସୁଭଦ୍ରାଙ୍କ ଚତୁର୍ଦ୍ଧା ହସ୍ତରେ ଦେବୀ ପରମ ବୈଷ୍ଣବୀ ମା’ ଭ୍ବନେଶ୍ୱରୀ ରୂପରେ ସଜ୍ଜିତ ହୋଇଥାନ୍ତି । ଦେବୀ ସୁଭଦ୍ରାଙ୍କ ହସ୍ତରେ ପଦ୍ମ ଓ ଖଡଗ, ଗଦା ଆଦି ଧରି ଥିବା ବେଶ ଖୁବ୍ ମନଲୋଭା ହୋଇ ଅଗଣିତ ଭକ୍ତଙ୍କ ମନକୁ ଭକ୍ତି ଭାବାବେଗରେ ଆନ୍ଦୋଳିତ କରିଛି । ସେହିପରି ରିକାପଲ୍ଲୀ ଆଡ଼ପ ମଣ୍ଡପରେ ଏବଂ ଛତ୍ରପୁର ଉପର ବଜାର ଠାରେ ଥିବା ଦାସୀରି ଜଗନ୍ନାଥ ମନ୍ଦିର ଆଡ଼ପ ମଣ୍ଡପରେ ମଧ୍ୟ ଶନିବାର ବରାହ ଅବତାର ବେଶ ଦେଖି ଅଗଣିତ ଭକ୍ତ ସନ୍ତୋଷ ଲାଭ କରିଛନ୍ତି ।
Prev Post
