ବଲାଙ୍ଗିର, (କେପିଏନ୍ଏସ୍) : ଗନ୍ଧମାର୍ଦ୍ଦନ ଜୈବ ବିବିଧତାର ସୁରକ୍ଷା ସମୟର ଆହ୍ୱାନ । ଜନଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପର୍ବତମାଳାରୁ ବାହାରି ଥିବା ଶତାଧିକ ଝରଣା ତଥା ଜଳ ଜମି ଜଙ୍ଗଲର ସୁରକ୍ଷା ପାଇଁ ସାମଗ୍ରୀକ ଏକତା ଆବଶ୍ୟକ । ଶିଳ୍ପ ବିକାଶ ଆଳରେ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସାଂସ୍କୃତିକ ତଥା ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଅଞ୍ଚଳରେ ଖଣି ଖନନର ମସୁଧା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି । ଜିଲ୍ଲା ଲେଖକ ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ହରିଶଙ୍କର ପର୍ଯ୍ୟଟନସ୍ଥଳୀ ଠାରେ ‘ଭାବର୍ ଭୂଇଁ ଗନ୍ଧମାର୍ଦ୍ଦନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି ଜୟକୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ସମ୍ପାଦକ ତଥା କୋଶଳୀ କବି ସୁଶାନ୍ତ କୁମାର ବାଗ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଉପସଭାପତି ବରିଷ୍ଠ ଅଧିବକ୍ତା ଆଶିଷ ଚନ୍ଦନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଆଲୋଚକ ଭାବେ ଆଦିବାସୀ ସଂସ୍କୃତି ଗବେଷକ ଅଜିତ କୁମାର ଭୋଇ, ଗୋରଖନାଥ ସାହୁ, ଡଃ. ଗୋବର୍ଦ୍ଧନ ନାଏକ, କୋଶଲବାଦୀ ନେତା ସୁଶିଲ ଗୁରୁ ଉପସ୍ଥିତ ଥିବା ବେଳେ ସାମାଜିକ କାର୍ଯ୍ୟକର୍ତ୍ତା ମୃତ୍ୟୁଞ୍ଜୟ କୁମାର ସଭା ସଂଯୋଜନା କରିଥିଲେ । କବି ହେମନ୍ତ ଦଳପତି ପ୍ରତିରୋଧ କାହିଁକି ଆବଶ୍ୟକ ସେ ବିଷୟରେ କହିଥିଲେ । କବି ଭିକାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ସଂଯୁକ୍ତା ପରିଚ୍ଛାଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ଅର୍ଜୁନ କୁମାର ସାହୁ, ସଂଯୁକ୍ତା ଚନ୍ଦନ ଓ ରତ୍ନମୟ ତ୍ରିପାଠୀ ସଂଯୋଜନା ଦାୟିତ୍ୱରେ ରହିଥିଲେ । ସୁବର୍ଣ୍ଣା ନାରୀ ଜାଗରଣ ମଞ୍ଚ ସୋନପୁରର ଆବାହିକା ମୀନା ମହାରଣା ଧନ୍ୟବାଦ ଦେଇଥିଲେ । ଧରମ ସିଂ ଧରୁଆ, ଗୁପ୍ତେଶ୍ୱର କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ କବି ସ୍ୱରଚିତ କବିତାମାନ ପାଠ କରିଥିଲେ ।
Next Post
