ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନଃନିର୍ମିତ ରେଳ ଷ୍ଟେସନର ଶୁଭଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ ୭୫ଟି ପୁନଃନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିଛନ୍ତି । ଏହି କ୍ରମରେ, ଓଡ଼ିଶାର ସାତୋଟି ପୁନଃନିର୍ମିତ ରେଳ ଷ୍ଟେସନ ବଲାଙ୍ଗିର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଲଗଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି । ପ୍ରାୟ ୧୦୯ କୋଟି ଟଙ୍କାର ବ୍ୟୟରେ ପୁନଃନିର୍ମିତ ଏହି ଷ୍ଟେସନଗୁଡ଼ିକ, ସେମାନଙ୍କର ସମ୍ପୃକ୍ତ ଅଞ୍ଚଳର ସାଂସ୍କୃତିକ ପରିଚୟ, ସ୍ଥାପତ୍ୟ କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଆଧୁନିକ, ଯାତ୍ରୀ କେନ୍ଦ୍ରିକ ରେଳ ଷ୍ଟେସନ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନଗୁଡ଼ିକର ସାମଗ୍ରିକ ବିକାଶ କରାଯାଇଛି । ଏଥିରେ ଆଧୁନିକ ଷ୍ଟେସନ ଭବନ, ଉନ୍ନତ ଚଳାଚଳ ପରିସର, ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ଆଧୁନିକ ଶୌଚାଳୟ, ଉନ୍ନତ ପ୍ଲାଟଫର୍ମ ଛାଉଣି, ଡିଜିଟାଲ ଯାତ୍ରୀ ସୂଚନା ପ୍ରଣାଳୀ, ଉନ୍ନତ ଆଲୋକୀକରଣ, ମାନକ ସୂଚନାଫଳକ ଏବଂ ବହୁମାଧ୍ୟମ ପରିବହନ ସଂଯୋଗୀକରଣ ଭଳି ଯାତ୍ରୀ ସୁବିଧା ଅନ୍ତର୍ଭୁକ୍ତ । ପରିଚାଳନାଗତ ଆବଶ୍ୟକତା ଓ ପ୍ରତ୍ୟେକ ଷ୍ଟେସନର ବିଶେଷ ଚାହିଦାକୁ ଦୃଷ୍ଟିରେ ରଖି, ଉପଯୁକ୍ତ ଷ୍ଟେସନଗୁଡ଼ିକରେ ଲିଫ୍ଟ ସୁବିଧା ସହିତ ୧୨ ମିଟର ଚଉଡ଼ା ପାଦଚଲା ଓଭରବ୍ରିଜ୍ (ଏଫ୍ଓବି) ନିର୍ମାଣ କରାଯାଇଛି, ଯାହା ଦିବ୍ୟାଙ୍ଗ ଓ ବୃଦ୍ଧ ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ବାଧାମୁକ୍ତ ଯାତାୟତ ସୁନିଶ୍ଚିତ କରିବ । ଏହା ସହ ଷ୍ଟେସନ ଭବନ ଗୁଡ଼ିକରେ ସ୍ଥାନୀୟ କଳା, ସଂସ୍କୃତି ଓ ସ୍ଥାପତ୍ୟର ଉପାଦାନ ସ୍ଥାନ ପାଇଛି, ଯାହା ସମ୍ପୃକ୍ତ ଅଞ୍ଚଳର ସ୍ୱତନ୍ତ୍ର ଐତିହ୍ୟକୁ ପ୍ରତିଫଳିତ କରୁଛି । ଏହି ରୂପାନ୍ତରିତ ଷ୍ଟେସନଗୁଡ଼ିକ ଯାତ୍ରୀଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ, ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ ତଥା ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ଏହା ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଅନୁଯାୟୀ ବିଶ୍ୱସ୍ତରୀୟ ରେଳ ଭିତ୍ତିଭୂମି ଗଢ଼ି ତୋଳିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରୁଛି । ଏହି ଅବସରରେ ସମ୍ବଲପୁର ଡିଭିଜନର ତିନୋଟି ଷ୍ଟେସନରେ ଉଦ୍‌ଘାଟନୀ ସମାରୋହ ଆୟୋଜିତ ହୋଇଥିଲା । ବରପାଲି ଷ୍ଟେସନରେ ସାଂସଦ (ଲୋକସଭା), ବରଗଡ, ପ୍ରଦୀପ ପୁରୋହିତ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭଗବତ ପଧାନ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଡିଭିଜନାଲ ରେଳ ପ୍ରବନ୍ଧକ, ସମ୍ବଲପୁର, ସୁବାଷ ଚନ୍ଦ୍ର ଚୌଧୁରୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ବଲାଙ୍ଗିର ଷ୍ଟେସନରେ ସାଂସଦ (ଲୋକସଭା) ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ, ବଲାଙ୍ଗିର, କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୈଳାସ ଚନ୍ଦ୍ର ମେହେର ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର୍ (ଇନ୍ଏଚ୍ଏମ୍) / ଭୁବନେଶ୍ଵର ଏବଂ ସମ୍ବଲପୁରର ବରିଷ୍ଠ ଡିଭିଜନାଲ ବାଣିଜ୍ୟ ପ୍ରବନ୍ଧକ, ଶ୍ରୀମତୀ ଗରିମା ତିୱାରୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । କେସିଙ୍ଗା ଷ୍ଟେସନରେ ବିଧାୟକ, ଧର୍ମଗଡ, ସୁଧୀର ରଞ୍ଜନ ପଟ୍ଟଯୋଶୀ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଟ୍ଟାୟତ କୁମାର ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ମଞ୍ଜିତ ସିଂ ସନସନୱାଲ, ଅତିରିକ୍ତ ଡିଭିଜନାଲ ରେଳ ପ୍ରବନ୍ଧକ, ସମ୍ବଲପୁର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ସ୍ଥାନୀୟ ସରପଞ୍ଚ, ମହାବିଦ୍ୟାଳୟର ଅଧ୍ୟକ୍ଷ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ, ଏନଜିଓ, କେନ୍ଦ୍ର ଏବଂ ରାଜ୍ୟ ସରକାର ଅଧିକାରୀ, ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.