ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ଶିକ୍ଷାବିତ୍, ପରିବେଶବିତ୍, ବିଶିଷ୍ଟ ପରିବେଷ ବୈଜ୍ଞାନିକ ସୋନମ ୱାଙ୍ଗ୍ଚୁକ୍ ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦୀର୍ଘ୍ ୧୯ ଦିନ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଲ୍ଲୀର ଯନ୍ତ୍ରରମନ୍ତ୍ରର ଠାରେ ଆମରଣ ଅନଶନ ଚଳାଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ତାଙ୍କର ଦାବି ପ୍ରତି କର୍ଣ୍ଣପାତ ନ କରି ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ବୋଲି ଆଇନଜୀବୀମାନେ ମତ ପୋଷଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀତ୍ଵ କାଳରେ ମେଡିକାଲ୍ ପ୍ରବେଶିକା ପରୀକ୍ଷା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତଥା ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାରମ୍ବାର ଲିକ୍ ହେବା ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ତାହା ସହ ଦେଶର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ନୂତନ ଶିକ୍ଷାନୀତି ନାମରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଛି । ଶିକ୍ଷା ବ୍ୟବସ୍ଥାର ସଂସ୍କାର, ଶିକ୍ଷାକୁ ସାର୍ବଜନୀନ କରଣ କରିବା ତଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଚାଲିଥିବା ଆମରଣ ଅନଶନକୁ ସମର୍ଥନ କରି ଶୁକ୍ରବାର ଉଦିତନଗର ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଭାରତୀୟ ଆଇନଜୀବୀ ସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସଦାନନ୍ଦ ସାହୁ ଓ ଭାରତୀୟ ଆଇନଜୀବୀ ୟୁନିଅନର ଜିଲ୍ଲା ସମ୍ପାଦକ ରାଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଇଏଏଲ୍ର ରାଉଲକେଲା ଶାଖାର ସଭାପତି ଆଇନଜୀବୀ ପି. କେ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଭୟ ନେତୃତ୍ୱ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ । ତୁରନ୍ତ ସରକାର ସୋନମ ୱାଙ୍ଗ୍ଚୁକ୍ଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସୁସ୍ମିତା ମହଲା, ଶାନ୍ତନୁ ଦାସ, ଚନ୍ଦ୍ରଭାନୁ ଦାସ ପ୍ରମୁଖ ବକ୍ତବ୍ୟ ଦେଇ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଜରୁରୀ ଓ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ଦ୍ୱାରା ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁମିତ୍ରା ନନ୍ଦ, ରାଜା ମୁନ୍ନା, ପ୍ରମୋଦ ବାରିକ, ଲକ୍ଷ୍ମୀ ମାଝୀ, ଯମୁନା କିଶାନ, ପୁରୁଷୋତ୍ତମ କୁମ୍ଭାର, ସନ୍ତୋଷ ବିଶ୍ୱାଳ ବିଦ୍ୟାନନ୍ଦ ପ୍ରଧାନ, ସଞ୍ଜୟ ବେହେରା ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ସହଯୋଗ କରିଥିଲେ ।
