ବଲାଙ୍ଗିର, (କେପିଏନ୍ଏସ୍) : ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବଲାଙ୍ଗିର ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ୧୯୩୧ ମସିହାରେ ନିର୍ମିତ ଏହି ଐତିହାସିକ ଷ୍ଟେସନ ଏବେ ଆଧୁନିକ ସୁବିଧା ସହ ନୂଆ ରୂପରେ ସାଜିଛି । ଓଡ଼ିଶାର ପାରମ୍ପରିକ ଐତିହ୍ୟ ଓ ଆଧୁନିକ ଭିତ୍ତିଭୂମିର ସୁନ୍ଦର ସମନ୍ୱୟରେ ନିର୍ମିତ ଏହି ଷ୍ଟେସନ ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ପ୍ରଦାନ କରିବ । ନବୀକରଣ କାର୍ଯ୍ୟ ଅନ୍ତର୍ଗତ ଆଧୁନିକ ଷ୍ଟେସନ ଭବନ, ଲିଫ୍ଟ ସହିତ ୧୨ ମିଟର ଚଉଡ଼ା ଫୁଟ୍ ଓଭର ବ୍ରିଜ୍, ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ, ପାର୍କିଂ ବ୍ୟବସ୍ଥା, ପ୍ଲାଟଫର୍ମ ସେଲ୍ଟର, ୱେଟିଂ ହଲ, ଶୌଚାଳୟ, ଆଧୁନିକ ସୂଚନା ବୋର୍ଡ ସହ ସ୍ଥାନୀୟ କଳା ଓ ସଂସ୍କୃତିର ଆକର୍ଷଣୀୟ ପ୍ରଦର୍ଶନ ସ୍ଥାନ ପାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୨୦ଟି ରାଜ୍ୟର ୭୫ଟି ପୁନଃବିକଶିତ ରେଳ ଷ୍ଟେସନର ଉଦ୍ଦ୍ଘାଟନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳ, ରେଳ ବିଭାଗର ଅଧିକାରୀ ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
