ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ପବିତ୍ର ରଥଯାତ୍ରା ଉତ୍ସବ ଚଳିତ ବର୍ଷ ଅତ୍ୟନ୍ତ ଆଡମ୍ବର, ଶୃଙ୍ଖଳା ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ସେହିପରି ବ୍ଲକ ଅଞ୍ଚଳରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଭଉଣୀ ଦେବୀ ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ବିରାଜମାନ କରାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପରିକ୍ରମା କରାଯାଇଥିଲା । ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ‘ଜୟ ଜଗନ୍ନାଥ‘ ଧ୍ଵନିରେ ରଥ ଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ । କୀର୍ତନ, ଭଜନ, ଘଣ୍ଟ, ଶଙ୍ଖଧ୍ୱନି ଓ ହରିବୋଲରେ ସମଗ୍ର ଅଞ୍ଚଳ ଭକ୍ତି ରସରେ ମୁଖରିତ ହୋଇଉଠିଥିଲା । ସହରରେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ସବୁ ବର୍ଗର ଲୋକ ଉତ୍ସାହର ସହ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଥିଲେ । ଉତ୍ସବକୁ ସୂଚାରୁ ରୂପେ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ମାନେ ମିଳିତ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଶାନ୍ତି, ଶୃଙ୍ଖଳା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମଗ୍ର ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଅଞ୍ଚଳବାସୀ ଏହାକୁ ନେଇ ଗଭୀର ଆନନ୍ଦ ଓ ଉତ୍ସାହ ପ୍ରକାଶ କରିଛନ୍ତି । ସେହିପରି ବ୍ଲକର ବଙ୍ଗୋମୁଣ୍ଡା(ସାହୁପଡା), ସାନମୂଳା, ବିରିପାଲି, ତେତେଲପଡା ,ଭାଲୁମୁଣ୍ଡା, ବେଲପଡ଼ା, ଚୁଲିପୁଙ୍କା, ଗୋହିରାପଦର, କଁସିଲ, ଦେଢ଼ଗାଁ, ଭୁଷଲାଡ, ମମିଆ, ଚାନ୍ଦୋତରା, ସିନ୍ଧେକେଲା, ଅଲଣ୍ଡା / ସୂର୍ଡା, ରାଣୀପୁର/ ଝରିଆଲ ଗାଁ ଗୁଡିକରେ ମଧ୍ୟ ମହାସମାରୋହରେ ପାଳନ ହୋଇଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ଓ ସିନ୍ଧେକେଲା ପୋଲିସ ମୁତୟନ ହୋଇଥିଲା । ରଥଯାତ୍ରା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ମାହୋଲ ହୋଇପଡିଛି ।
