ନମିତା ବୁଖରା : ଶିକ୍ଷା ପାଇଁ ସମର୍ପିତ ପ୍ରାଣ ଟିଏ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ସାଂପ୍ରତିକ ପରିସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦାୟୀତ୍ଵବୋଧତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ହେଉଛନ୍ତି ସୁନ୍ଦରଗଡ଼ ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଶିକ୍ଷୟିତ୍ରୀ ନମିତା ବୁଖରା । ଶିକ୍ଷା ପାଇଁ ତାଙ୍କ ନିଷ୍ଠା ଓ ସମର୍ପଣ ଭାବ ଛାତ୍ରଛାତ୍ରୀଙ୍କ ମହଲରେ ତାଙ୍କୁ ବେଶ୍ ଆଦୃତ କରିଥିବା ବେଳେ ଅଭିଭାବକ ମହଲରେ ମଧ୍ୟ ବେଶ୍ ଆଦୃତ କରିଛି । ତା ଛଡା ତାଙ୍କ ସରଳତା, ନମ୍ରତା, ଛାତ୍ର ବତ୍ସଳତା ମଧ୍ୟ ଅନେକଙ୍କ ପାଇଁ ଉଦାହରଣ ପାଲଟିଛି । ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ବୁଖରା ଓ ଗୋଲାପି ମହାନନ୍ଦିଆଙ୍କ ଜୈଷ୍ଠ କନ୍ୟା ନମିତା ଛୋଟ ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ଶିକ୍ଷା ପାଇଁ କିଛି କରିବାର ସ୍ୱପ୍ନ ଛୋଟ ଦିନରୁ ହିଁ ତାଙ୍କ ମନରେ ଖୁନ୍ଦି ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଉଚ୍ଚ ଶିକ୍ଷା ଗ୍ରହଣ କଲାପରେ ସେ ସୁନ୍ଦରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଶିକ୍ଷୟିତ୍ରୀ ଭାବରେ ଯୋଗଦେଇ ନିଜର ଅଧୁରା ସ୍ୱପ୍ନକୁ ପୂରଣ କରିବା ଦିଗରେ ଅଗ୍ରସର ହୋଇଥିଲେ । ଏଭଳି ଅଭିନବ ପ୍ରୟାସ ସମ୍ପର୍କରେ ନମିତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଶିକ୍ଷା କେବଳ ଏକ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ । ବରଂ ଏହା ମଣିଷର ବ୍ୟକ୍ତିତ୍ୱ ବିକାଶ, ନୈତିକ ଚେତନା, ସାମାଜିକ ଦାୟିତ୍ୱବୋଧ ଓ ଜୀବନ ଜୀବିକାର ଦକ୍ଷତା ଅର୍ଜନର ଭିତ୍ତିଭୂମି ଅଟେ । ତେଣୁ ନୈତିକ ଓ ମୂଲ୍ୟବୋଧ ଆଧାରିତ ଶିକ୍ଷାକୁ ଆମକୁ ପୁନର୍ଜୀବିତ କରିବାକୁ ହେବ । ସତ୍ୟନିଷ୍ଠା, ସହାନୁଭୂତି, ସହନଶୀଳତା, ସାମାଜିକ ଦାୟିତ୍ୱବୋଧ ଓ ମାନବିକତା ପରି ଗୁଣଗୁଡ଼ିକ ଛାତ୍ରଛାତ୍ରୀ ଭିତରେ ଉଦ୍ରେକ କରିବାକୁ ପଡିବ । ତେବେ ଯାଇ ଏକ ସୁସ୍ଥ ସମାଜ ଏବଂ ବୈଭବଶାଳୀ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ନମିତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.