
- ବରଗଡ଼ ସହରର ପାଖାପାଖି ୪୦୦୦ରୁ ଅଧିକ ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ପାଇଁ ୧୬.୫୯ କୋଟି ନିବେଶ
ବରଗଡ଼, (ମୁନ୍ନା ସାହୁ) : ଦେଶର ସର୍ବୋକୃଷ୍ଟ ସୁରକ୍ଷିତ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପକ୍ଷରୁ ଆଜି ବରଗଡ଼ର ପଞ୍ଚାୟତ କଲେଜଠାରେ ଏକ ନୂତନ ଉତ୍ସର୍ଗୀକୃତ ୩୩/୧୧ କେଭି ପାୱାର ସବ୍-ଷ୍ଟେସନ୍ (ପିଏସଏସ୍)ର ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ୨୍ଠ୫ ଏମଭିଏ କ୍ଷମତା ବିଶିଷ୍ଟ ପାୱାର ଟ୍ରାନ୍ସଫର୍ମର (ମୋଟ କ୍ଷମତା ୧୦ ଏମଭିଏ) ସ୍ଥାପନ ହୋଇଥିବା ଏହି ଅତ୍ୟାଧୁନିକ ପାୱାର ସବ୍-ଷ୍ଟେସନ୍ (ପିଏସଏସ୍)କୁ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ନୂତନ ପାୱାର ସବ୍-ଷ୍ଟେସନର ଉଦଘାଟନୀ ଉତ୍ସବରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ, ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକସନତ କୁମାର ଗର୍ତିଆ, ମାନ୍ୟବର ବିଧାୟକ, ବିଜେପୁର ଶ୍ରୀ ଇରାଶିଷ୍ ଆଚାର୍ୟ୍ୟ, ବରଗଡ଼ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ୍, ଆଇଏଏସ୍, ବରଗଡ଼ ଏସପି ରବିନ୍ଦ୍ର ନାଥ ଶତପଥୀ, ଆଇପିଏସ୍ ଏବଂ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହାସହ ଟିପିଡବ୍ଲୁଓଡିଏଲ୍ର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ନାଗରିକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମାବେଶକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଆଜି ପଞ୍ଚାୟତ କଲେଜ ନିକଟରେ ଏକ ୩୩/୧୧ କେଭି ପାୱାର ସବ୍-ଷ୍ଟେସନର ଉଦଘାଟନ କରାଯାଇଛି । ଆଗାମୀ ଦିନରେ ଆଉ ଏକ ପାୱାର୍ ସବ୍-ଷ୍ଟେସନ୍ ଉଦଘାଟନ୍ ହେବାକୁ ଯାଉଛି । ଦୁଇଟି ପାୱାର ସବ-ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ଅଧିକ ସୁଦୃଢ ହେବ । ପ୍ରାୟ ୧୬.୫୯ କୋଟି ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ବରଗଡ଼ ସହର, ପଞ୍ଚାୟତ କଲେଜ ଅଞ୍ଚଳ, ଦୀପାଳି ଟକିଜ୍ ଅଞ୍ଚଳ, କାଳୀ ମନ୍ଦିର ଅଞ୍ଚଳ ଏବଂ ଏହାର ଆଖପାଖ ସହରାଞ୍ଚଳର ପାଖାପାଖି ୪୦୦୦ ଘରୋଇ ଓ ବ୍ୟବସାୟିକ ଗ୍ରାହକ ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । ଆଗାମୀ ଦିନରେ ସହରର ବଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ସହ ସ୍ଥିର, ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖି ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଏହି ଅବସରରେ ଟିପିଡବ୍ଲୁଓଡିଏଲ୍ର ସିଇଓ, ପ୍ରବୀଣ ବର୍ମା କହିଛନ୍ତି, “ଟିପିଡବ୍ଲୁଓଡିଏଲ୍ରେ ଆମେ ଆମ ଗ୍ରାହକମାନଙ୍କ ବଦ୍ଧିତ ଆକାଂକ୍ଷାକୁ ପୂରଣ କରିବା ଏବଂ ପଶ୍ଚିମ ଓଡ଼ିଶାର ଦ୍ରୁତ ସାମାଜିକ-ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସୁଦୃଢ଼, ନିର୍ଭରଯୋଗ୍ୟ ଏବଂ ଭବିଷ୍ୟତ-ଉପଯୋଗୀ ବିଦ୍ୟୁତ ବିତରଣ ନେଟୱର୍କ ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧ । ବରଗଡ଼ଠାରେ ନୂତନ ୩୩/୧୧ କେଭି ପାୱାର ସବ୍-ଷ୍ଟେସନର ଶୁଭାରମ୍ଭ ଆମର ଭିତ୍ତିଭୂମି ବିକାଶ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ପ୍ରକଳ୍ପ କେବଳ ହଜାର ହଜାର ଗ୍ରାହକଙ୍କ ପାଇଁ ବିଦ୍ୟୁତ ସେବାର ଗୁଣବତ୍ତା ଓ ନିର୍ଭରଯୋଗ୍ୟତା ବଢ଼ାଇବ ନାହିଁ, ବରଂ ଆଗାମୀ ଦିନରେ ସହରର ସମ୍ପ୍ରସାରଣ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ଶିଳ୍ପାୟନ ପାଇଁ ଆବଶ୍ୟକୀୟ ନେଟୱର୍କ କ୍ଷମତା ମଧ୍ୟ ସୃଷ୍ଟି କରିବ । ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାରେ ଯୋଗଦାନ ଦେବା ସହ ନିରାପଦ, ସ୍ଥାୟୀ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ପାଇଁ ଆମେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ବିତରଣ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ କ୍ରମାଗତ ଭାବେ ନିବେଶ ଜାରି ରଖିବୁ ।” ଏହି ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ବର୍ତ୍ତମାନ ଥିବା ୧୧ କେଭି ଫିଡରଗୁଡ଼ିକ ଉପରୁ ଭାର ଯଥେଷ୍ଟ ହ୍ରାସ ପାଇବ, ଭୋଲ୍ଟେଜ୍ ପ୍ରୋଫାଇଲ୍ରେ ସୁଧାର ଆସିବ, ବିଦ୍ୟୁତ କାଟ୍ ସମସ୍ୟା ଦୂର ହେବ ଏବଂ ସମଗ୍ର ବିତରଣ ନେଟୱର୍କର ନିର୍ଭରଯୋଗ୍ୟତା ବୃଦ୍ଧି ପାଇବ । ଏହାସହ ଫିଡର ବିଭାଜନ ଏବଂ ଲୋଡ୍ ଶିଫ୍ଟିଙ୍ଗ୍ ମାଧ୍ୟମରେ କାର୍ଯ୍ୟକ୍ଷମ ନମନୀୟତା ମିଳିପାରିବ, ଯାହା ବରଗଡ଼ର ଆଗାମୀ ସହରୀ ସମ୍ପ୍ରସାରଣ ଓ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ଅତିରିକ୍ତ ନେଟୱର୍କ କ୍ଷମତା ସୃଷ୍ଟି କରିବ । ଏହି ସୁଦୃଢ଼ ଭିତ୍ତିଭୂମି ଜିଲ୍ଲା ମୁଖ୍ୟାଳୟରେ ସ୍ଥାୟୀ ଅର୍ଥନୈତିକ ବିକାଶକୁ ସହାୟତା କରିବା ସହ ଗ୍ରାହକ ସେବା ମାନଦଣ୍ଡରେ ଉନ୍ନତି ଆଣିବ । କାର୍ଯ୍ୟକ୍ରମର ଶେଷରେ ବରଗଡ଼ ବିଦ୍ୟୁତ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ଅନୁପମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ସହଯୋଗ ପାଇଁ ସେ ସମସ୍ତ ଅତିଥି, ଜନପ୍ରତିନିଧି ଏବଂ ଅଂଶୀଦାରମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ : ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ୟ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

