
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଳିତ ବର୍ଷ କିପରି ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ପାଳନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ତହସିଲଦାର ଦିପ୍ତି ପ୍ରକାଶ ବେହେରା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଗୁଣ୍ଡିଚା ରଥଯାତ୍ରା, ବାହୁଡା଼ ଯାତ୍ରା ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେବା ସହ ରଥଯାତ୍ରା ସମୟରେ ସହରରେ ଟ୍ରାଫିକ ବ୍ୟବସ୍ଥା, ସ୍ୱଚ୍ଛତା ଓ ପରିମଳ, ପାନୀୟ ଜଳ, ଫାଷ୍ଟଏଡ଼୍ ବ୍ୟବସ୍ଥା, ବାଇପାସ ରାସ୍ତା ବ୍ୟବସ୍ଥା ସମେତ ତିନିରଥରେ ସୁରକ୍ଷା ପାଇଁ ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ସହରର ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
