csstore

ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା : ବାଇକ ଚାଳକଙ୍କ ମୃତ୍ୟୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୋଷ୍ଟାଲ କାର୍ଯ୍ୟଳୟରେ ବ୍ୟବହାର ହେଉଥିବା ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପରିଚୟ ଖୋଜୁଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି । ଦୁର୍ଘଟଣା ଘଟାଇଥିବା ଭ୍ୟାନଟି ପୋଷ୍ଟାଲର ଡେଲିଭେରୀ ଭ୍ୟାନ ବୋଲି ପୋଲିସ ସୂଚନା ଦେଇଛନ୍ତି । ପ୍ରକାଶ ଯେ ଫୁଲବାଣୀରୁ ଡାକ ନେଇ ଭ୍ୟାନ ନଂ (ଓଡି୧୨ଏଫ୍-୩୪୧୬)ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଭିମୁଖେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ବାଇକ ନଂ (ଓଆର ୦୭ ଏଜେ-୬୮୩୭)ରେ ବ୍ରାହ୍ମଣୀଗାଁ ପଟରୁ ଦାରିଙ୍ଗବାଡି ଯାଉଥିଲେ । ଦାରିଙ୍ଗବାଡି ପହଞ୍ଚିବାକୁ ମାତ୍ର ଆଉ ୫ କି.ମି. ରହିଥିବା ବେଳେ ପାଙ୍ଗାଲି ନିକଟରେ ବାଇକଟି ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ସହ କିଛି ଦୂର ବାଇକ ସହ ଚାଳକଙ୍କୁ ଘୋଷାଡ଼ି ନେଇଥିଲା । ଏହା କୌଣସି ସୂତ୍ରରୁ ପୋଲିସ ଖବର ପାଇବାପରେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ବାଇକ ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ବାଇକ ଓ ଭ୍ୟାନକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

jayashree
Leave A Reply

Your email address will not be published.