csstore

ଦୁଇ ଦାବିପତ୍ର ଦେଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନଗଣନାରେ ଓବିସି ତଥ୍ୟ ସଂଗ୍ରହ ଓ ଡିଜିଟାଲ୍ ସ୍ୱଚ୍ଛତା ପ୍ରସଙ୍ଗ ଏବଂ ସରକାରୀ ସ୍କୁଲ୍ ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍ ଥିବା ଅଭିଯୋଗକୁ ନେଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ବଲାଙ୍ଗିର ଜିଲ୍ଲା ପକ୍ଷରୁ ଦୁଇଟି ଦାବିପତ୍ର ଦିଆଯାଇଛି । ଜିଲ୍ଲା ସଭାପତି ସରୋଜ କୁମାର ମେଶ୍ଵାଙ୍କ ନେତୃତ୍ୱରେ ମୋର୍ଚ୍ଚା କର୍ମୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏହା ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଜନଗଣନା ପ୍ରସଙ୍ଗ : ୨୦୨୭ ଜନଗଣନାର ‘ହାଉସ୍ ଲିଷ୍ଟିଂ’ରେ ପରିବାର ସାମାଜିକ ଶ୍ରେଣୀ ପାଇଁ କେବଳ ଏସ୍‌ସି, ଏସ୍‌ଟି ଓ ଅନ୍ୟାନ୍ୟ ଭଳି ୩ଟି ବିକଳ୍ପ ଥିବାରୁ ଓବିସି ଗଣନା ହେଉନଥିବା ମୋର୍ଚ୍ଚା ଅଭିଯୋଗ କରିଛି । ସେହିପରି ଏଚ୍‌ଏଲ୍‌ଓ ଆପ୍ ଜରିଆରେ ହେଉଥିବା ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନାରେ ତଥ୍ୟର ଭୌତିକ ରେକର୍ଡ ଓ ଦାୟିତ୍ୱ ନିର୍ଦ୍ଧାରଣ ନଥିବାରୁ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ଓବିସି ପାଇଁ ଅଲଗା ବିକଳ୍ପ ଯୋଡ଼ିବା ଓ ତଥ୍ୟ ସତ୍ୟାପନ ପାଇଁ ପାରଦର୍ଶୀ ବ୍ୟବସ୍ଥା ଦାବି କରାଯାଇଛି । ଦାବି ପୂରଣ ନହେଲେ ଭାରତ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ପାଠ୍ୟପୁସ୍ତକ ପ୍ରସଙ୍ଗ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପ୍ରାୟ ୧୬୭୮ଟି ତଥ୍ୟଗତ ଭୁଲ୍ ଥିବା ଅଭିଯୋଗ କରି ମୋର୍ଚ୍ଚା ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରତ୍ୟାହାର, ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବିଶେଷଜ୍ଞ କମିଟି ଗଠନ ଓ ସଂଶୋଧିତ ପୁସ୍ତକ ବିତରଣ ଦାବି କରିଛି । ଏହା ଓଡ଼ିଶାର ଇତିହାସ, ସଂସ୍କୃତି ଓ ମୂଳନିବାସୀ-ବହୁଜନ ସମାଜର ପରିଚୟକୁ ଦୁର୍ବଳ କରୁଛି ବୋଲି କୁହାଯାଇଛି । ଉଭୟ ଦାବିପତ୍ର ନକଲ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ, ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ, ରାଜ୍ୟପାଳ ଓ ଏନ୍‌ସିଇଆର୍‌ଟି, ନୂଆଦିଲ୍ଲୀକୁ ପଠାଯାଇଛି ।

jayashree
Leave A Reply

Your email address will not be published.