
- ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତର ପୁରୁଣାପାଣି ଠାରେ ଆଂଚଳିକ ଶୀତଳଷଷ୍ଠୀ ମହୋତ୍ସବ କମିଟି ପୁରୁଣାପାଣି ତରଫରୁ ଶୀତଳଷଷ୍ଠୀ ମହୋତ୍ସବ ଦ୍ୱିତୀୟ ଦିନରେ ପହଂଚିଛି । ଦ୍ୱିତୀୟ ଦିନରେ ମୁଖ୍ୟଅତିଥି ଭାବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ । ସନ୍ଧ୍ୟାରେ ପ୍ରବଳ ଝଡତୋଫାନ ଓ ବର୍ଷା ଜାରି ରହିଥିଲେ ହେଁ ଶ୍ରୀ ମିଶ୍ର ମହୋତ୍ସବ ସ୍ଥଳରେ ଠିକଣା ସମୟରେ ପହଂଚିଥିଲେ । ଉପସ୍ଥିତ ମହୋତ୍ସବ କମିଟି ତଥା ସ୍ଥାନୀୟ ଲୋକଙ୍କୁ ପବିତ୍ର ଶୀତଳ ଷଷ୍ଠୀ ମହୋତ୍ସବ ଅବସରରେ ଶୁଭେଚ୍ଛା ଜଣାଇବା ସହ ଅଂଚଳର ବିକାଶ କାମନା କରିଥିଲେ । ଏହି ଅବସରରେ ଉପସ୍ଥିତ ଲୋକେ ସ୍ଥାନୀୟ ସମସ୍ୟା ଉପରେ ଶ୍ରୀ ମିଶ୍ରଙ୍କୁ ଅବଗତ କରିଥିଲେ । ବିଶେଷ କରି ଏ ଅଂଚଳରେ ତେଲ ନଦୀରୁ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପିଇବା ପାଣି ଯୋଗାଇବା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲେ ହେଁ କାର୍ଯ୍ୟ ଏତେ ଧିମା ଗତିରେ ଚାଲିଛି ଯେ, ଲୋକେ କେବେ ପିଇବା ପାଣି ପାଇପାରିବେ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି । ଶିକ୍ଷା ବ୍ୟବସ୍ଥା ମଧ୍ୟ ଅତି ଖରାପ । ଏଠାରେ ଥିବା ଏକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଯାଉଥିଲେ ହେଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ଅଛି । ରାସ୍ତା ମଧ୍ୟ ଯାହାକି ବଲାଙ୍ଗିରରୁ ଏହି ଅଂଚଳକୁ ସଂଯୋଗ କରିଛି ସେ ରାସ୍ତା ମଧ୍ୟରେ ତିଆରି ଚାଲିଥିବା କଲଭର୍ଡ ଗୁଡିକ ଅତି ଧିମା ଗତିରେ ଚାଲିଛି । ପୂର୍ତ୍ତ ବିଭାଗ ରାସ୍ତାରୁ ଭୀମ ପାହାଡକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରୋଡ ଧିରେ ଧିରେ ଖରାପ ଆଡକୁ ଗତି କଲାଣି । ଏସବୁ ସମସ୍ୟା ସମାଧାନ ପାଇଁ ଲୋକେ ଶ୍ରୀ ମିଶ୍ରଙ୍କ ଆଗରେ ଦାବି କରିଥିଲେ । ଆଲୋଚନା ବେଳେ ଶ୍ରୀ ମିଶ୍ର ମେଗା ପ୍ରକଳ୍ପ ମାଧ୍ୟମରେ ଏ ଅଂଚଳକୁ ଶୀଘ୍ର ପିଇବା ପାଣି ନ ଦେଲେ ଆଗକୁ ଲୋକେ ଆନ୍ଦୋଳନ ମୁହାଁ ହେବେ । ତା ପୂର୍ବରୁ ସେ ନିଜେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଏ ଦିଗରେ କାର୍ଯ୍ୟ ଯେମିତି ଶୀଘ୍ରତାର ସହ ସମାପନ ହୋଇ ଲୋକେ ପିଇବା ପାଣି ପାଇବେ ତାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ଅଧିକ ସ୍କୁଲ ଗୃହ ଓ ବିଜୁଳି ସଂଯୋଗ ପାଇଁ ବିଭାଗିୟ ଅଧିକାରୀମାନଙ୍କ ସହ କଥା ହୋଇ ଏଥିପାଇଁ ଅନୁଦାନର ବ୍ୟବସ୍ଥା ନିଶ୍ଚିତ ଭାବେ କରାଯିବ ବୋଲି କହିବା ସହ ଟେଲିଫୋନ ନେଟୱାର୍କକୁ ସୁଦୃଢ କରିବା ପାଇଁ ମଧ୍ୟ ବିଭାଗ ସହିତ ସେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ସହ ଜଳନ୍ଧର ଭୂମିକାରେ ଅଭିନୟ କରୁଥିବା ଫଟକରାର ଅନିଲ କୁମାର ନାଏକ, ମହୋତ୍ସବ କମିଟିର ସଭାପତି ଚକ୍ରଧର ମଲ୍ଲିକ, ସଂପାଦକ ମୟ ପ୍ରଧାନୀ, କଂଗ୍ରେସ ନେତା କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, ସୁରେନ୍ଦ୍ର ପ୍ରଧାନୀ, ସୁଦାମ ପ୍ରଧାନ, ଲମ୍ବୋଦର ବିଶି, ଗଣପତି ମାଝି, ପୁରନ୍ଦର ଡାଙ୍ଗ, ଅନିରୁଦ୍ଧ ମାଝି, ରୋହିତ ଭୋଇ, ଶିବ ମାଝି, ମଧୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।