jayashree

ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ‘ରଜପର୍ବ’ ଉପଲକ୍ଷେ ସାରସ୍ୱତ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପବିତ୍ର ରଜପର୍ବ ଅବସରରେ ବରିଷ୍ଠ ନାଗରିକମାନଙ୍କର ସମୂହ ମିଳନ ହୋଇ ରଜ ପୋଡପିଠା, ଆରିସା, କାକରା ଆଦି ମିଠା ରୁଚିକର ବ୍ୟଞ୍ଜନ ଖୁଆ ଖୋଇ ହୋଇ ବରିଷ୍ଠ ନାଗରିକମାନେ ରଜପର୍ବ ଆସର ମନେଇଛନ୍ତି । ଛତ୍ରପୁରସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ଗୃହ ପରିସରରେ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଆ ଜାତିର ପରମ୍ପରା ଗଣପର୍ବ “ରଜପର୍ବ” ଉପଲକ୍ଷେ ଏକ ଭବ୍ୟ ସାରସ୍ୱତ ଆଲୋଚନା ଚକ୍ର ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ରଙ୍କ ଉଦ୍ୟମ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗଦେଇଥିଲେ ଛତ୍ରପୁରର “ସୃଜନ ସାହିତ୍ୟ ସଂସ୍କୃତି ସଂସଦ”ର ସଦସ୍ୟମାନେ ଏହି ସାରସ୍ୱତ ସମାରୋହରେ ସକ୍ରୀୟ ଅଂଶଗ୍ରହଣ କରି ପହିଲି ରଜ ଅବସରରେ ରଜପର୍ବର ମହତ୍ତ୍ୱ ପ୍ରତିପାଦନ କରିଛନ୍ତି । ଗଣପର୍ବ ଭାବେ ପରିଚିତ ରଜପର୍ବ ଆମ ଉତ୍କଳୀୟ ଧର୍ମଧାରା ପର୍ବପର୍ବାଣୀ ପରମ୍ପରା ଓ ସଂସ୍କୃତି ମଧ୍ୟରେ ଏକ ନିଆରା ଅଟେ ବୋଲି ପ୍ରତିପାଦନ କରାଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟଅତିଥି ଭାବେ ଛତ୍ରପୁରର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ପୋଲିସ୍ ଜିଲ୍ଲା ମ୍ୟୁଖ୍ୟାଳୟ ଛତ୍ରପୁର ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ସବ୍ୟସାଚୀ ମଲ୍ଲ, ସୁରେନ୍ଦ୍ର ନାଥ ପାଢ଼ୀ, ଶିକ୍ଷାବିତ୍ ସୋମନାଥ ସାହୁ, ଶିକ୍ଷୟିତ୍ରୀ ରୀତା ରଥ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ପ୍ରଶାନ୍ତ କୁମାର ମହାରଣା, କବି ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ବିଭିନ୍ନ ପ୍ରକାର ସମାଜ ସେବା କାର୍ଯ୍ୟକ୍ରମରେ ଅହରହ ଜଡ଼ିତ ରହିବା ସତ୍ୱେ, ଆମ ସଂସ୍କୃତିର ସୁରକ୍ଷା ପାଇଁ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ରଙ୍କ ଏପରି ଏକ ନିଆରା ଓ ପ୍ରଶଂସନୀୟ ପ୍ରୟାସକୁ ଉପସ୍ଥିତ ସମସ୍ତ ଅତିଥି ଓ ଶ୍ରୋତା ସାଧୁବାଦ ଜଣାଇଥିଲେ । ବିଧାୟକ ଏପରି ଏକ ସନାତନ ଧର୍ମର ପର୍ବ, ଭାଇଚାରା ଓ ସଂସ୍କୃତିର ପର୍ବ ଅବସରପ୍ରାପ୍ତ କର୍ମଚାରୀ, କବି ଓ କବୟିତ୍ରୀ ଓ ସାହିତ୍ୟ ପ୍ରେମୀଙ୍କୁ ନେଇ ଆୟୋଜିତ ହୋଇଥିବାରୁ ଆୟୋଜକ ସମାଜସେବୀ ତଥା ଟ୍ରଷ୍ଟର ମୁଖ୍ୟ ଦେବାଶିଷ ମିଶ୍ରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ରଜ ପର୍ବର ମୁଖ୍ୟ ଆକର୍ଷଣ ପୋଡ଼ପିଠା, ମିଠାପାନ ସହ ପାରମ୍ପରିକ ପିଠା ଓ ପଣା ଆଦିର ସୁବ୍ୟବସ୍ଥା କରାଯାଇଥିଲା । ଯାହା ସମସ୍ତଙ୍କୁ ବେଶ୍ ଆନନ୍ଦିତ କରିଥିଲା । କବି ଓ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥୀ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂଯୋଜନା କରିଥିଲେ ଏବଂ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ପ୍ରଶାନ୍ତ ମହାରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗ ଓ ଉପସ୍ଥିତିରେ ଏହି ମହାନ ସାଂସ୍କୃତିକ ପର୍ବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.