
- ଶୀଘ୍ର କୋଶଲ ରାଜ୍ୟ ଗଠନ କର ନଚେତ ଉଲଗୁଲାନ ପାଇଁ ପ୍ରସ୍ତୁତ ରୁହ
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ଶାସନକୁ ୨ ବର୍ଷ ପୁରିଗଲା । ଏଥିପାଇଁ ବିଜେପି ଦଳକୁ ଅଭିନନ୍ଦନ । ଦୀର୍ଘ ଦିନର ପ୍ରୟାସ ପରେ ଗତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡିଶାରେ ୨୪ ବର୍ଷର ବିଜେଡି ସରକାରକୁ ପଦଚ୍ୟୁତ କରିବାରେ ସକ୍ଷମ ହେଲା । ଏଭଳିକି ଓଡିଶାର ସମସ୍ତ ଲୋକସଭା ଆସନ ମଧ୍ୟ ହାତେଇବାରେ ବିଜେପି ସକ୍ଷମ ହେଲା । ବିଜେପିର ଏଭଳି ମେଗା ସଫଳତାରେ ବିଗତ ଦଶନ୍ଧି ଧରି ଯେଉଁମାନେ ଗଣତାନ୍ତ୍ରିକ ରୂପେ ବିଭିନ୍ନ ସମସ୍ୟାକୁ ନେଇ ଲଢେଇ କରୁଥିଲେ ସମସ୍ତଙ୍କର ଭୂମିକା ଥିଲା । ବିଶେଷ କରି କୋଶଳାଂଚଳରେ ବିଜେପି ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କଲା ସେଥିରେ ୧୯୯୮ ମସିହାରୁ ଆରମ୍ଭ ହୋଇଥିବା “କୋଶଲ ମୁକ୍ତି ଆନ୍ଦୋଳନ”ର ପରୋକ୍ଷ ଭାବରେ ବହୁତ ବଡ ଭୂମିକା ଥିଲା । ଯେଉଁ ଭଳି ଭାବରେ କୋଶଳ ରାଜ୍ୟ ଗଠନର ଦାବି ଏ ଅଂଚଳରେ ଭାଷାର ମାନ୍ୟତାର ଦାବି, ହାଇକୋର୍ଟ ବେଂଚ ସ୍ଥାପନର ଦାବି କିମ୍ବା ଅନ୍ୟାନ୍ୟ ଦାବିକୁ ତତ୍କାଳୀନ ସରକାର ନଜରଅନ୍ଦାଜ କରିଥିଲା । କୋଶଳାଂଚଳ ଜନସାଧାରଣ ସେଥିପାଇଁ ତତ୍କାଳୀନ ସରକାର ଉପରେ କ୍ଷୁବ୍ଧ ଥିଲେ । ବିଶେଷ କରି କୋଭିଡ୍ ମହାମାରୀ ସମୟରେ ଯେଭଳି ଭାବରେ “ଅସାଂବିଧାନିକ” ରୂପେ ବନ୍ଦେ ଉତ୍କଳ ଜନନୀକୁ ଜବରଦସ୍ତ ରାଜ୍ୟ ସଂଗୀତକୁ ମର୍ଯ୍ୟାଦା ଦିଆଗଲା ତାହା ମଧ୍ୟ କୋଶଳାଂଚଳର ୨ କୋଟି ଲୋକଙ୍କ ସ୍ୱାଭିମାନକୁ ଆଘାତ ଦେଇଥିଲା । ତେଣୁ ଏ ଅଂଚଳର ଲୋକେ ୨୦୨୪ ର ରାଜନୈତିକ ପରିବର୍ତ୍ତନରେ ବଡ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ବିଗତ ୨ ବର୍ଷର ବିଜେପି ସରକାରଙ୍କ କାର୍ଯ୍ୟଶୈଳୀ ଓ ପ୍ରଦର୍ଶନକୁ ଦେଖି କୋଶଳବାସୀ ସଂପୂର୍ଣ୍ଣ ରୂପେ ହତାଶ ହୋଇପଡିଛନ୍ତି । ବିଶେଷ କରି ସଂବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ, କୋଶଲୀ (ସମ୍ବଲପୁରୀ) ଭାଷାର ମର୍ଯ୍ୟାଦା, ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ, ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା ପ୍ରଭୃତି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ନିରବ । ଏହାଛଡା ଚାଷୀ ଆତ୍ମହତ୍ୟା, ମଣ୍ଡି ସମସ୍ୟା, ଅଭାବୀ ବିକ୍ରି ସମସ୍ୟା, ଦାଦନ ଶ୍ରମିକ ସମସ୍ୟା, ବେକାରୀ ସମସ୍ୟା, ସ୍ଥାନୀୟ ନିଯୁକ୍ତି ସମସ୍ୟା, ମାତୃ ଓ ଶିଶୁ ମୃତ୍ୟୁହାର ବୃଦ୍ଧି ସମସ୍ୟା ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତା ଆହୁରି ହତାଶ ଓ କ୍ଷୋଭ ସୃଷ୍ଟି କରିଛି । ଏଥି ସହିତ ଦୁର୍ନୀତି ଓ ଅପରାଧରେ ବୃଦ୍ଧି ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସେଥିରେ ସଂପୃକ୍ତି ବହୁ ମାତ୍ରାରେ ବଢି ଚାଲିଛି । ନିକଟ ଅତିତରେ ଟାଟା ପାୱାରର ପାୱାର କଟ ଓ ଅତ୍ୟାଚାରକୁ ଦମନ କରିବାରେ ସରକାରୀ ବିଫଳତା, ବଲାଙ୍ଗିର କିମ୍ବା କେବିକେ ଅଂଚଳରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ଦିଗରେ ସରକାରଙ୍କ ସ୍ଥାଣୁତା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦି ଦିଗରେ ସରକାରୀ ବିଫଳତା, ବନ୍ଦ ଶିଳ୍ପ ଚାଲୁ କରିବାରେ ତଥା ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ଦିଗରେ ସରକାରଙ୍କ ବିଫଳତା ଲୋକଙ୍କ ଭିତରେ ବହୁ ପ୍ରତିକ୍ରିୟା ସୃଷ୍ଟି କରିଛି । ନେତା, ମନ୍ତ୍ରୀମାନେ ଖାଲି ବାହାସ୍ପୋଟ ଓ ରାଜକୀୟ ବ୍ୟବହାର କରୁଥିବାରୁ ଓ ଅବାସ୍ତବ କଥା କହି ବିବାଦ ସୃଷ୍ଟି କରୁଥିବାରୁ ତଥା ରାଜନୈତିକ ଚାନ୍ଦା ଆଦାୟ ଭଳି ସମସ୍ୟା ପାଇଁ ସରକାର ପ୍ରତି ଲୋକେ ଅଙ୍ଗୁଳି ପ୍ରଦର୍ଶନ କଲେଣି । ତେଣୁ ବିଜେପିକୁ ସରକାରଙ୍କ ଦ୍ୱିତୀୟ ବର୍ଷ ପୁର୍ତ୍ତି ଉପଲକ୍ଷେ ସ୍ୱାଗତ ଜଣାଇବା ସଙ୍ଗେ ସରକାର ତୁରନ୍ତ ଆତ୍ମ ମନ୍ଥନ କରି ଏହି ସବୁ ସମସ୍ୟାର ସ୍ଥାୟୀ ଓ ତୁରନ୍ତ ସମାଧାନ କରନ୍ତୁ ବୋଲି କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଦାବି କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ଓ ବିଜେପି ଅଧ୍ୟକ୍ଷ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ନେତୃତ୍ୱଙ୍କୁ ଶୀଘ୍ର ଏ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିବା ସହ ଅନ୍ୟଥା ଆଗାମୀ ଦିନରେ ବିଶାଳ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।