
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହେନ୍ଦ୍ରଗିରି ପୀଠରେ ନବଦିନ ବ୍ୟାପୀ ଆୟୋଜିତ ମହେନ୍ଦ୍ର ମେଳାରେ ଶ୍ରୀହରିଙ୍କ ନବକୁଣ୍ଡୀୟ ମହାଯଜ୍ଞର ବେଦମନ୍ତ୍ର, ଶଙ୍ଖଧ୍ୱନି ଏବଂ ଭକ୍ତିରସରେ ଉତ୍ସବମୁଖର ହୋଇଉଠିଛି । ଏହି ଅବସରରେ ସପ୍ତମ ସନ୍ଧ୍ୟାରେ, କାଶୀରୁ ଆଗତ ବିଦ୍ୱାନ ପଣ୍ଡିତମାନଙ୍କ ଦ୍ୱାରା ପରିବେଷିତ ଦିବ୍ୟ ସନ୍ଧ୍ୟା ଆରତୀ ବନ୍ଦାପନାରେ ଲକ୍ଷାଧିକ ଭକ୍ତଦର୍ଶନ କରି ଆତ୍ମ ବିଭୋର ହୋଇ ଉଠିଥିଲେ । ଏହି କାର୍ଯ୍ୟକ୍ରମରେ ବେଦମନ୍ତ୍ର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ପୁନଃଶ୍ଚ ଏହି ଦିନ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପ୍ରତିଷ୍ଠିତ ତଥା ଛତ୍ରପୁର ବ୍ଲକ ଅନ୍ତର୍ଗତ ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର ପକ୍ଷରୁ ଦାସୁଡୁ ସେବା ଦଳଙ୍କ ଭକ୍ତିଭାବନାର ଅଭିନୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଛତ୍ରପୁରରୁ ମହେନ୍ଦ୍ରଗିରି ଅଭିମୁଖେ ବାହାରି ମହେନ୍ଦ୍ର ମେଳାରେ ଆୟୋଜିତ ଯଜ୍ଞାନୁଷ୍ଠାନର ସପ୍ତମ ଦିବସରେ
ବଡ଼ଦାସୁଡୁ ଜୟଦେବ ପୁରସ୍କାରପ୍ରାପ୍ତ ଡଃ. ଆର୍. ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ୱରେ ଶ୍ରୀ ନୃସିଂହ ଠାକୁରଙ୍କର କୋହଲା ଜାଳି ଶ୍ରୀ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ମହେନ୍ଦ୍ରଗିରିର ଯଜ୍ଞସ୍ଥଳକୁ ଯାଇଥିଲେ । କୋହଲା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମହନୀୟ ପରମ୍ପରାରେ ଦାସୁଡୁ ସେବା ଦଳଙ୍କ ନୃତ୍ୟରେ ସ୍ଥାନଟି ଆହୁରି ଆକର୍ଷଣୀୟ ଭାବେ ଉତ୍ସବ ମୁଖର ହୋଇଉଠିଥିଲା । ଭଗବାନ ମହେନ୍ଦ୍ରଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ହେଉ ବୋଲି ଦାସୁଡୁ ସେବା ଦଳ ସଂସାରର କାମନା କରିଥିଲେ । ପର୍ଶୁରାମ କ୍ଷେତ୍ର ମହେନ୍ଦ୍ରଗିରିର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସବୁଜିମାଭରା ବନରାଜି ମଧ୍ୟରେ ଶ୍ରୀହରିଙ୍କ ନବକୁଣ୍ଡୀୟ ମହାଯଜ୍ଞର ପବିତ୍ର ଆରତୀ ଦର୍ଶନ କରିବା ସହିତ ମହେନ୍ଦ୍ର ପର୍ବତରେ ଆୟୋଜିତ ଭବ୍ୟ ଆଳତୀର ଦିବ୍ୟ ଅନୁଭୂତି ଲାଭ କରିଥିଲେ । ପବିତ୍ର ମହେନ୍ଦ୍ରଗିରି ପୀଠ ପରିସରର ଭୀମ ପାହାଡ଼, ପର୍ଶୁରାମ ମନ୍ଦିର, କୁନ୍ତୀ ମନ୍ଦିର ଦର୍ଶନ କରି ମହେନ୍ଦ୍ରତନୟା ନଦୀରେ ସ୍ନାନ ସାରି ଦାସୁଡୁ ସେବା ଦଳ ମୋକ୍ଷପ୍ରାପ୍ତ ଲାଭ କରିଛନ୍ତି । ଏହି ଅବସରରେ ରାଜ୍ୟ ବାଣିଜ୍ୟ ଏବଂ ପରିବହନ, ଇସ୍ପାତ, ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମାନନୀୟା ଆସ୍କା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ମହୋଦୟାଙ୍କ ସହିତ କବିସୂର୍ଯ୍ୟନଗରର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏହି ଅଦ୍ୱିତୀୟ ଧାର୍ମିକ ଓ ସାଂସ୍କୃତିକ ମହୋତ୍ସବରେ ସାମିଲ ହୋଇ ସନାତନ ଧର୍ମର ମହିମା, ପରମ୍ପରା ଓ ଆଧ୍ୟାତ୍ମିକ ଚେତନା ସମାବେଶରେ ପୂଜ୍ୟ ସାଧୁସନ୍ଥ, ମୁନିଋଷି ତଥା ଅଗଣିତ ଶ୍ରଦ୍ଧାଳୁଙ୍କ ଅପୂର୍ବ ସମାବେଶ
ସାରା ବିଶ୍ୱକୁ ଭକ୍ତି ଭାବାବେଗରେ ପ୍ରଭାବିତ ଓ ଆହ୍ଲାଦିତ କରିଦେଇଛି ।