
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପରିବେଶ ଦିବସ ୨୦୨୬ ଅବସରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଜ୍ଞାନାର୍ଜନ ଓ ବିକାଶ ପ୍ରତିଷ୍ଠାନ, ରାଉରକେଲା ପକ୍ଷରୁ ଏସପିସିବି ଓ ୱାଇ ଏମ୍ଏଫ୍ଆଇର ମିଳିତ ସହଯୋଗରେ ସ୍ଥାନୀୟ ମ୍ୟୁନିସିପାଲ କଲେଜ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠାନର ସହକାରୀ ମହାପ୍ରବନ୍ଧକ ତଥା ନିର୍ଦ୍ଦେଶକ ଶ୍ରୀମତୀ ଅମିୟ ପ୍ରଭା ଲାକ୍ରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମସ୍ତ କର୍ମଚାରୀ, ଅଧିକାରୀ ଏବଂ ତାଲିମପ୍ରାପ୍ତ ଅଧିକାରୀମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଏସପିସିବି, ରାଉରକେଲା ଆଞ୍ଚଳିକ ଶାଖାର ଉପ ପରିବେଶ ଯନ୍ତ୍ରୀ ଇଂ ରଜତ କୁମାର ସେଠି, ଇଂ ରମଣୀ ରଞ୍ଜନ ଦାସ, ୱାଇ ଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ମ୍ୟୁନିସିପାଲ କଲେଜର ବିଜୟ କୁମାର ପାଢ଼ୀ, ଅଧ୍ୟକ୍ଷ (ଭାରପ୍ରାପ୍ତ), ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଅଧ୍ୟାପକ ଦୀପ୍ତିରଞ୍ଜନ ମହାନ୍ତି, କ୍ୟାପ୍ଟେନ୍ ସତ୍ୟନାରାୟଣ ରାଉତ, ବିଶ୍ୱମ୍ବର ତ୍ରିପାଠୀ, ସୂରଜ କୁମାର ତାନ୍ତି, ଗଗନ ବିହାରୀ ନାୟକ, ଅଜିତ କୁମାର ମହାପାତ୍ର, ବିଶ୍ୱନାଥ ବଡ଼ାଇକ ଏବଂ ଏନ୍.ସି.ସି. ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଅବସରେ ଶ୍ରୀମତୀ ଲାକ୍ରା କହିଲେ, “ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ସମ୍ମିଳିତ ଦାୟିତ୍ୱ । ଗୋଟିଏ ଗଛ କେତେ ମୂଲ୍ୟବାନ୍ ତାହା ଆମେ ବୁଝି ପାରିଲେ ହିଁ ଆମ ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ଷ୍ଟେଟ୍ ବ୍ୟାଙ୍କ ପରିବାର ସର୍ବଦା ସବୁଜ ରାଉରକେଲା ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ।” କଲେଜ ପରିସରକୁ ସବୁଜ ଓ ସୁନ୍ଦର କରିବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହୋଇଛି ।