
ବଲାଙ୍ଗିର, (କେପିଏନ୍ଏସ୍) : ଏକ ଟାଟା ନେକ୍ସନ୍ କାର୍ ନଂ.ଓଡ଼ି୧୫ଏଲ୍୦୧୨୦ରେ ଚୋରା ଏସ୍କଫ୍ କଫ୍ ସିରପ୍ ଚାଲାଣ ହେଉଥିବାର ଖବର ପାଇ ବଲାଙ୍ଗିର ଏସ୍ପି ଅଭିଳାଷ ଜୀଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ଥାନା ଆଇଆଇସି ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ନୂତନ ସ୍ମାର୍ଟ ପାର୍କ ନିକଟରେ ବଲାଙ୍ଗିର ଟାଉନ୍ ପୋଲିସ ସଂପୃକ୍ତ କାର୍କୁ କାବୁ କରିଥିବା ସୂଚନା ଦିଆଯାଇଛି । ବଲାଙ୍ଗିର ଏସ୍ଡ଼ିପିଓ ସରୋଜ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ବିବରଣୀ ରଖିଛନ୍ତି । ଏହି ମାମଲାରେ ବଲାଙ୍ଗିର ତାଲପାଲିପଡ଼ାର ବିଦ୍ୟାଧର ସାହୁ(୨୦), ବରପାଲିପଡ଼ାର ଅଙ୍କିତ ପଟେଲ(୧୯) ବିଶେଷ ଜେନା(୧୯), ତୁଲସୀନଗରର ପ୍ରିୟାଂଶୁ ନନ୍ଦ(୧୯) ଏବଂ କଟକ ଜିଲ୍ଲା ନରସିଂହପୁରର ସୁରେଶ କୁମାର ସାହୁ(୧୯) ଗିରଫ୍ ହୋଇଥିବା ସୂଚନା ଦିଆଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ସଂପୃକ୍ତ ଟାଟା ନେକ୍ସନ୍ କାର୍ ସହ ୮୮୦ ବୋତଲ ଏସ୍କଫ୍ କଫ୍ ସିରପ୍, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ, ୫ଟି ମୋବାଇଲ୍ ଫୋନ୍ ଜବତ୍ ହୋଇଥିବା ସୂଚନାରେ କୁହାଯାଇଛି ।