jayashree

ଦ୍ୱିତୀୟ ଏମ୍‌ଏମ୍‌ଏଫ୍‌ସି ଫୁଟସାଲ ଟୁର୍ଣ୍ଣାମେଣ୍ଟ -୨୦୨୬ ଉଦଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ଖେଳ କେବଳ ବିନୋଦନର ମାଧ୍ୟମ ନୁହେଁ ବରଂ ଶୃଙ୍ଖଳା, ଭାଇଚାରା ଓ ସୁସ୍ଥ ସମାଜ ଗଠନର ଏକ ମହାନ ମନ୍ତ୍ର । ଏହି ମହାନ ବାର୍ତ୍ତାକୁ ନେଇ ସିନାପାଲି ଏମ୍‌ଏମ୍‌ଏଫ୍‌ସି ପକ୍ଷରୁ ଆୟୋଜିତ “୨ୟ ଏମ୍‌ଏମ୍‌ଏଫ୍‌ସି ଫୁଟସାଲ ଟୁର୍ଣ୍ଣାମେଣ୍ଟ-୨୦୨୬” ଶନିବାର ସିନାପାଲି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଚାରି ଦିନିଆ ଏହି ଫୁଟସାଲ ମହାକୁମ୍ଭରେ ସିନାପାଲି, କାପସି, ପଲସାପଡ଼ା, ଚଟିଆଗୁଡ଼ା, ଭେଲ୍ଲା, କରଙ୍ଗାମାଲ, ଆମଗୁଡ଼ା ସମେତ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳର ଯୁବ ଖେଳାଳୀମାନଙ୍କ ପ୍ରତିଭା ବିକାଶ ଓ ଖେଳ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଅଞ୍ଚଳରେ ବେଶ ଉତ୍ସାହ ସୃଷ୍ଟି କରିଛି । ଉଦ୍‌ଘାଟନୀ ସମାରୋହରେ ସିନାପାଲି ବନାଞ୍ଚଳର ରେଞ୍ଜର କାମେଶ୍ୱର ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ସେ ନିଜ ଅଭିଭାଷଣରେ ଯୁବପିଢ଼ିଙ୍କୁ ଖେଳ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବା ସହ ନିଶାମୁକ୍ତ ସମାଜ ଗଠନରେ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମିନା ଘିଭେଲା, ମନୀଷ ପଟେଲ, ଖୁଟୁରାମ ସୁନାନୀ, ମନୋରଞ୍ଜନ ମେହେର, ଶଶିଭୂଷଣ ମାଝୀ, ମଧୁସୂଦନ ମାଝୀ, ରଜନୀ ମାଝୀ, ପୁସ୍ତମ ମାଝୀ, ନରେଶ ମାଝୀ, ଲମ୍ବୋଦର ମାଝୀ, ପୀତାମ୍ବର ମାଝୀ, ସୁଶାନ୍ତ କୁମାର ଓ ଦିଲ୍ଲୀପ କୁମାର ପ୍ରମୁଖ ଉପସ୍ଥିତ ରହି ଆୟୋଜକମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟସାଲର ନିୟମ ଅନୁଯାୟୀ ଛୋଟ ପଡ଼ିଆରେ ୭ ଜଣିଆ ଦଳ ସହିତ ମ୍ୟାଚ ଖେଳାଯାଉଛି । ଅଫସାଇଡ, ଫାଉଲ ଓ ଏୟାର ସଟ୍ ନିୟମ ନଥିବାବେଳେ ଅସୀମିତ ପରିବର୍ତ୍ତନ ସୁବିଧା ଖେଳକୁ ଅଧିକ ରୋମାଞ୍ଚକ କରିଛି । ଉଦ୍‌ଘାଟନୀ ଦିବସର ପ୍ରଥମ ମ୍ୟାଚରେ କାପସି ଏସ୍‌ସିଏଫ୍‌ଏ ଓ ଚଟିଆଗୁଡ଼ା ଫରେଷ୍ଟ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲା ଟାଇ ରହିବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ କାପସି ୩-୨ ଗୋଲରେ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ଭେଲ୍ଲା ଓ ସିନାପାଲି ମଧ୍ୟରେ ଜବରଦସ୍ତ ଲଢ଼େଇ ପରେ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଭେଲ୍ଲା ଦଳ ୫-୪ ଗୋଲରେ ବିଜୟ ହାସଲ କରିଥିଲା । ଉଭୟ ମ୍ୟାଚ ଦର୍ଶକଙ୍କ ମଧ୍ୟରେ ଭରପୂର ଉତ୍ସାହ ଓ ରୋମାଞ୍ଚ ସୃଷ୍ଟି କରିଥିଲା । ରିକୁ ମାଝୀ, ଚନ୍ଦ୍ର ମାଝୀ, ସୁମନ, ବିହାରୀଲାଲ ମସରା ଓ ସୁବାଷ କୁଲ୍ଲୁ ରେଫରି ଭାବେ ଖେଳକୁ ସୂଚାରୁ ଭାବେ ପରିଚାଳନା କରିଥିବାବେଳେ ପ୍ରକାଶ ପାତ୍ର ଓ ଭାସ୍କର ମାଝୀଙ୍କ ଆକର୍ଷଣୀୟ ଧାରାବିବରଣୀ ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା । ଗ୍ରାମାଞ୍ଚଳର ଯୁବକମାନଙ୍କ ମଧ୍ୟରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ଏବଂ ଏକ ସୁସ୍ଥ, ସଚେତନ ଓ ସକାରାତ୍ମକ ସମାଜ ଗଠନ ଦିଗରେ ଏମ୍‌ଏମ୍‌ଏଫ୍‌ସିର ଏହି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.