
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ସର୍ବପ୍ରାଚୀନ ଦେବ ପୀଠ ଅହିରାବନ୍ଧ । ଏହି ଠାରେ ସ୍ଥାପିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ମନ୍ଦିରରେ ରଥଯାତ୍ରା ଖୁବ୍ ଧୁମଧାମରେ ପାଳିତ ହୋଇଆସୁଛି । ତିନୋଟି ରଥରେ ମହାପ୍ରଭୁ ବିରାଜମାନ ହୋଇ ଆମ୍ବାଗାନ ସ୍ଥିତ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି । ରଥ ରିଙ୍ଗ ରୋଡ ଦେଇ ଯିବାବେଳେ ହଜାର ହଜାର ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥାନ୍ତି । ଏହି ଦୃଶ୍ୟ ପୁରୀ ବଡ଼ଦାଣ୍ଡ ଭଳି ପ୍ରତିୟମାନ ହୋଇଥାଏ । ଅହିରାବନ୍ଧ ଜଗନ୍ନାଥ ମନ୍ଦିରର ସବୁ ନୀତିକାନ୍ତି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ପ୍ରାୟ ଅନୁସରଣ କରି ସମାପନ କରାଯାଇଥାଏ । ରଥଯାତ୍ରା ଆଉ ଏକ ମାସ ୧୦ ଦିନ ରହିଯାଇଥିବା ବେଳେ ସେକ୍ଟର ୩ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଜି ପୂର୍ବାହ୍ନରେ ଅଖ ଚକ ପୂଜା ସଂପନ୍ନ ହୋଇଛି । ଏଥିରେ ମୁଖ୍ୟ ପୂଜକ ଭାବେ ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ତ୍ରିନାଥ ପାଢ଼ୀ ଓ ପ୍ରଶାନ୍ତ ଦାସ ପୂଜାର୍ଚ୍ଚନା କରିଥିବା ବେଳେ ମୁଖ୍ୟ ରଥ କାରିଗର ଭୀକାରୀ ମହାରଣା, ଡମ୍ବରୁ ମହାରଣା ସମେତ ଅନ୍ୟାନ୍ୟ ବଢ଼େଇ ଉପସ୍ଥିତ ଥିଲେ । ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟର ସଭାପତି ଗିରିଜା ଶଙ୍କର ଦ୍ୱିବେଦୀ ଏହି ପୂଜା ଅବସରରେ ମହାରଣା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କୀର୍ତ୍ତନ ମଣ୍ଡଳୀ ଓ ମନ୍ଦିର ସେବାୟତ କାର୍ଯ୍ୟକ୍ରମ ସମ୍ପାଦନାରେ ସହଯୋଗ କରିଥିଲେ ।