jayashree

ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ଦ୍ୱାରସେନୀ ମନ୍ଦିର ପଡା

  • କଂକ୍ରିଟ ରାସ୍ତା ଓ ଷ୍ଟ୍ରିଟ ଲାଇଟ ସାତସପନ
  • ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବେ ବି ଅନେକ ସମସ୍ୟା ଲାଗି ରହିଥିବା ନେଇ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ଥିବା ଦ୍ୱାରସେନୀ ମନ୍ଦିର ପଡାରେ । ଏହି ପଡାକୁ ଆଜି ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଟିଏ ନଥିବାରୁ ପଡାବାସୀମାନେ ବର୍ଷା ଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ କିଛି ବର୍ଷ ତଳେ ମନରେଗା ଯୋଜନାରେ ମାଟି କାମ ହୋଇଥିବା ବେଳେ ବର୍ଷା ଦିନ ଆସିଲେ ଆଣ୍ଠୁଏ ପାଣି ଜମା ହୋଇଥାଏ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ତତ୍‌ ସହିତ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଲାଗି ନଥିବାରୁ ପଡାବାସୀ ଅନ୍ଧାରରେ ରହୁଥିବା ଅଭିଯୋଗ ହୋଇଛି । ଏହି ରାସ୍ତାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀ ମନ୍ଦିର, ମା’ ସାହାଜୀକଟେନଙ୍କ ମନ୍ଦିରରେ ଥିବା ବେଳେ ରାସ୍ତା କଂକ୍ରିଟ କରିବା ପାଇଁ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆ ନଯାଇ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପଡାରେ ୨୫ରୁ ଅଧିକ ପରିବାର ରହୁଥିବା ବେଳେ କାହାର ମଧ୍ୟ ନଜର ପଡିପାରିନାହିଁ । ଖାଲି ନିର୍ବାଚନ ଆସିଲେ ନେତା ମନ୍ତ୍ରୀମାନେ ଆସି ବିଭିନ୍ନ ପ୍ରତିଶୃତି ଦେଇଥାନ୍ତି ହେଲେ ନିର୍ବାଚନ ସରିଲେ ଆଉ ସେମାନଙ୍କ ଦେଖା ମିଳେ ନାହିଁ ବୋଲି ପଡାବାସୀ ଅଭିଯୋଗ କରିଛନ୍ତି । ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଠାରୁ ବିଡ଼ିଓଙ୍କ ଠାରେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଏସଂପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ ଆଗାମୀ ଦିନରେ ରାସ୍ତାକୁ କଂକ୍ରିଟ କରାଯିବ ଏବଂ ବିଦ୍ୟୁତ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ତୁରନ୍ତ ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟି ଏହି ରାସ୍ତାକୁ କଂକ୍ରିଟ ସହ ପଡାକୁ ଆଲୋକୀକରଣ କରିବା ପାଇଁ ପଡାର ହୁଲେଶ୍ୱର ହଂସ, ହଂସବୁଢ଼ା ହଂସ, ଦେବେନ୍ଦ୍ର ହଂସ, ଲୁର୍କୀ ଜାନୀ, ଖୀରଧର ହଂସ, ସରୋଜ ପୁଞ୍ଜି, ଓମ ହଂସ, ଲକ୍ଷ୍ମଣ ରଣା, ବିଘନୁ କଟା, ସନ୍ନ୍ୟାସୀ ହଂସ, ଲକ୍ଷ୍ମଣ ହଂସ, ସନ୍ତୋଷ ହଂସ, ଅଲେଖ ହଂସ, କିଶୋର ହଂସ, ବଳଦେବ ହଂସ ପ୍ରମୁଖଙ୍କ ସହ ପଡାବାସୀ ଦାବି କରିଛନ୍ତି । ଆଗାମୀ ଦିନରେ ସମସ୍ୟାର ସମାଧାନ କରାନଗଲେ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.