jayashree

ଶୁଭମ କେ-ମାର୍ଟରେ ବଡ଼ ଚଢ଼ାଉ : ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ ଜବତ, ୨୫ ହଜାର ଟଙ୍କା ଜରିମାନା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ପିଙ୍କ ଏସ୍‌ୟୁପି ଟିମ୍ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ ଶୁଭମ କେ ମାର୍ଟ (ଏମ୍.ବି. ମଲ୍ )ରେ ଏକ ବ୍ୟାପକ ଧରଣର ଚଢ଼ାଉ କରାଯାଇଛି । ଅଭିଯାନ ସମୟରେ ଦୋକାନରୁ ୧ କ୍ୱିଣ୍ଟାଲରୁ ଅଧିକ ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଥିବା ବେଳେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୨୫,୦୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଚଢ଼ାଉ ସମୟରେ ଦୋକାନର ବିକ୍ରୟ କାଉଣ୍ଟର, ଗୋଦାମ ଘର ଏବଂ ଅନ୍ୟାନ୍ୟ ସଂରକ୍ଷଣ ସ୍ଥାନରେ ସଘନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବହୁ ପରିମାଣର ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ଏବଂ ବ୍ୟବହାର କରାଯାଉଥିବା ଚିହ୍ନଟ ହୋଇଥିଲା । ଏହାପରେ ସମସ୍ତ ନିଷିଦ୍ଧ ସାମଗ୍ରୀକୁ ଜବତ କରାଯିବା ସହ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ଚଢ଼ାଉରେ ଜଳ ବିଭାଜିକା ଅତିରିକ୍ତ ନିର୍ଦ୍ଦେଶିକା ପ୍ରଭା ସିଂ, ଅତିରିକ୍ତ କୋଷାଗାର ଅଧିକାରୀ ମଧୁସ୍ମିତା ପରିଜା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା, ସିଡିପିଓ ନିରୁପା ନାଗ, ବିଡିଓ ରୋହିତ କୁମାର ଭୋଇ ଏବଂ ବିଆର୍‌ସି ଅବିନାଶ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଦୋକାନ କର୍ତ୍ତୃପକ୍ଷଙ୍କୁ ସତର୍କବାଣୀ ଦିଆଯାଇଛି ଯେ, ଭବିଷ୍ୟତରେ ଏପରି ଉଲ୍ଲଙ୍ଘନ ପୁନରାବୃତ୍ତି ହେଲେ ଦୋକାନ ସିଲ୍ କରାଯିବା ସହ ଲାଇସେନ୍ସ ବାତିଲ୍ ପର୍ଯ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାବାସୀ ଏବଂ ବ୍ୟବସାୟୀମାନଙ୍କୁ ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର ଓ ବିକ୍ରୟ ବନ୍ଦ କରି ପରିବେଶ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି । ଜିଲ୍ଲାକୁ ସମ୍ପୂର୍ଣ୍ଣ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗାମୀ ଦିନରେ ଏଭଳି ସଘନ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଆହୁରି ବ୍ୟାପକ ଭାବେ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.