
ମ. ରାମପୁର, (ପି.କେ. ସାହୁ) : ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ମସ୍କାଦାଣ୍ଡି ଗ୍ରାମର ଶାନ୍ତିବନ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମ. ରାମପୁର ଓ କେସିଙ୍ଗା ବନାଞ୍ଚଳର ଏ.ସି.ଏଫ୍. ଅସିତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ମେରା ଭାରତ ଜିଲ୍ଲା ଯୁବ ସଂଯୋଜକ, ପ୍ରକୃତି ମିତ୍ର ଲଳିତ ମୋହନ ଭୋଇ, ସନତ କୁମାର ସାହୁ, ସେବା ଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଯୋଗଦେଇଥିଲେ । ସଂଯୋଜକ ଟଙ୍କଧର ବଗର୍ତ୍ତୀ ଓ ପ୍ରଦୀପ କୁମାର ସାହୁ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏଥିରେ ବିଭିନ୍ନ ଗ୍ରାମର ଗୋଷ୍ଠୀ ଜଙ୍ଗଲ ପରିଚାଳନା କମିଟି ସଦସ୍ୟ, ଛାତ୍ରଛାତ୍ରୀ, ଯୁବକ ସାମିଲ ଥିଲେ । ମୁଖ୍ୟବକ୍ତା ପରିବେଶ ସୁରକ୍ଷା ଉପରେ ଜଙ୍ଗଲ ଓ ବୃକ୍ଷର ଭୂମିକା ବିଷୟରେ ଆଲୋଚନା କରିବା ସହିତ ଜୈବ ବିବିଧତା ସୁରକ୍ଷାର ଆବଶ୍ୟକତା ଉପରେ ଦିଗଦର୍ଶନ ଦେଇଥିଲେ ଓ ସମସ୍ତ ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ଆଲୋକପାତ କରି ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ ଥିଲେ । ଏହି ଅବସରରେ କବିତା ଓ ଚିତ୍ରାଙ୍କନରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଓ କବିମାନଙ୍କୁ ମାନପତ୍ର ସହ ପୁରସ୍କାର ମୁଖ୍ୟ ଅତିଥିଙ୍କ ଦ୍ୱାରା ଦିଆଯାଇଥିଲା । ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ଜଳ ସଂରକ୍ଷଣ ଏବଂ ଦେଶୀ ବିହନର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଓ ଆଗାମୀ ପିଢ଼ି ପାଇଁ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ । ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ ସବୁଜ ଓ ସ୍ୱଚ୍ଛ ପରିବେଶ ଗଠନ ପାଇଁ ସମସ୍ତଙ୍କୁ ସଚେତନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅତିଥିମାନେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମରେ ଅମିତ କୁମାର ସାହୁ ସହଯୋଗ କରିଥିବା ବେଳେ ପ୍ରବୀଣ ଦିଗାଲ ଧନ୍ୟବାଦ ଦେଇଥିଲେ ।