jayashree

କଟାବାହାଲ ଗ୍ରାମପଞ୍ଚାୟତରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ଵ ପରିବେଶ ଦିବସ ଅବସରରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସରପଞ୍ଚ ଅର୍ପିତା ପଣ୍ଡାଙ୍କ ନେତୃତ୍ୱରେ ଏକ ସଚେତନତାମୂଳକ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବେଶ ସୁରକ୍ଷା ଓ ସବୁଜ ପୃଥିବୀ ଗଠନର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ସଭ୍ୟା, କର୍ମଚାରୀ, ବିଭିନ୍ନ ଗ୍ରାମର ମେଟ୍, ସ୍ୱୟଂସାହାୟକ ଗୋଷ୍ଠୀର ମହିଳା, ଯୁବବର୍ଗ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ପରିବେଶ ସୁରକ୍ଷାର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସରପଞ୍ଚ ଶ୍ରୀମତୀ ପଣ୍ଡା କହିଥିଲେ ଯେ, ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ଧ୍ୱଂସ ମାନବ ସମାଜ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାର ମୁକାବିଲା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହୋଇ ପରିବେଶ ସୁରକ୍ଷା ଦିଗରେ କାମ କରିବାକୁ ପଡ଼ିବ । ପରେ ସାପ୍ତାହିକ ବଜାର ପରିସର ସଫା କରିବା ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଗ୍ରାମବାସୀମାନେ ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବା ପାଇଁ ମଧ୍ୟ ସଂକଳ୍ପ ନେଇଥିଲେ । ଗଛ କେବଳ ଅମ୍ଳଜାନ ପ୍ରଦାନ କରେ ନାହିଁ, ବରଂ ପରିବେଶର ସନ୍ତୁଳନ ରକ୍ଷା କରି ଜୀବଜଗତର ଅସ୍ତିତ୍ୱକୁ ସୁରକ୍ଷିତ ରଖେ ବୋଲି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାତ୍‌ର୍ତ୍ତିକେଶ୍ୱର ବେହେରା ମତ ପ୍ରକାଶ କରିଥିଲେ । ଶେଷରେ ସମସ୍ତେ ପ୍ଲାଷ୍ଟିକ ବ୍ୟବହାର କମାଇବା, ଜଳ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରି ଏକ ସବୁଜ ଓ ସୁସ୍ଥ ପରିବେଶ ଗଠନରେ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଗ୍ରାମପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥିଲା । ପରିଶେଷରେ ଏଡିଇଓ ସତ୍ୟାନନ୍ଦ ହାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.