
ପାଟଣାଗଡ଼, (କେପିଏନ୍ଏସ୍) : ବିଦ୍ୟୁତ୍ ଯୋଗାଣରେ ଅନିୟମିତତାକୁ ନେଇ ଗର୍ଜିଲା ଆଜି ପାଟଣାଗଡ଼ ବିଜେଡ଼ି । ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମେହେରଙ୍କ ନେତୃତ୍ୱରେ ଆଜି ଶହ ଶହ ସଂଖ୍ୟାରେ ବିଜେଡ଼ି କର୍ମକର୍ତ୍ତାମାନେ ବିଜେଡ଼ି କାର୍ଯ୍ୟାଳୟରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଏକ ରାଲିରେ ପହଂଚି ଜୋର୍ସୋର୍ ବିରୋଧ ପ୍ରଦର୍ଶନ କରିଛନ୍ତି ଏବଂ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ମେହେର ବିଦ୍ୟୁତ ଅଧିକାରୀଙ୍କୁ ସିଧାସଳଖ ବିଦ୍ୟୁତ୍ ଯୋଗାଣ ସଂକ୍ରାନ୍ତୀୟ ପ୍ରଶ୍ନ ପଚାରି ଉତ୍ତର ଲୋଡ଼ିଛନ୍ତି । ଏହି ଅବସରରେ ବିଜେଡ଼ି କର୍ମକର୍ତ୍ତାମାନେ ଏହି ଘେରାଉ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ କୁଶ ପୁତ୍ତଳିକା ଦାହ କରି ସରକାର ତଥା ବିଦ୍ୟୁତ ବିଭାଗ ବିରୋଧରେ ନାରାବାଜି କରିଥିଲେ । ବିଦ୍ୟୁତ ବିଭାଗର ଏଭଳି ମନମୁଖୀ କାର୍ଯ୍ୟକଳାପ ଜାରି ରହିଲେ ଆଗାମୀ ଦିନରେ ଆହୁରି ଜୋର୍ଦାର୍ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।