jayashree

ବାଲିଚୁଆଁ ହିଁ ସାହା ଭରସା

  • ପାନୀୟ ଜଳ ପାଇଁ ଡହକ ବିକଳ ବରକାନି ଗ୍ରାମବାସୀ
  • ଓଭରହେଡ୍‌ ଟାଙ୍କି ନିର୍ମାଣ କେବେ ?
  • ଜଙ୍ଗଲ ତଲି ଗାଁ ହୋଇଥିଲେ ମଧ୍ୟ ପ୍ରଶାସନର ନଜର ପଡିନି

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ପ୍ରଶାସନର ଅବହେଳା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ବରକାନି ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛିି । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ପାଣି ମୁନ୍ଦାଏ ପାଇଁ ଅନେକ ଅସୁବିଧା ହଇରାଣ ହରକତ ହେଉଛନ୍ତି ଗ୍ରାମବାସୀ । ବାଲି ଚୁଆଁ କରି ପାଣି ସଂଗ୍ରହ କରୁଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତରେ ଅଛି ବରକାନି ଗାଁ । ଜଙ୍ଗଲ ତଲି ଏହି ଦୁର୍ଗମ ଗାଁରେ ଦେଖିବାକୁ ମିଳିଛି ବିଶୁଦ୍ଧ ପାନୀୟ ଜଳର ଘୋର ସମସ୍ୟା । ସକାଳ ପାହିଲେ ଲୋକଙ୍କ ମନରେ ଗୋଟିଏ ଚିନ୍ତା ପିଇବା ପାଣି କେଉଠିଁ ମିଳିବ । ହାତରେ ଗରା, ବାଲଟି, ଡେକଚି ଧରି ମହିଳାମାନେ ସକାଳୁ ଯାଇ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାନ୍ତି । ଗାଁରେ ଥିବା ନଦୀରେ ବାଲିଚୁଆଁ ନିକଟରେ ପାଣି ପାଇଁ ଘଣ୍ଟା ଘଣ୍ଟା ସମୟ ଧରି ବାଲି ଚୁଆଁ କରି ଅଳ୍ପ ଅଳ୍ପ କରି ପାଣି ସଂଗ୍ରହ କରିଥାଆନ୍ତି । ପାଣି ପାଇଁ ନିଜ ନିଜ ମଧ୍ୟରେ ଝଗଡା ଲାଗିଥାନ୍ତି । ସକାଳ ପାହାନ୍ତିଆ ୪ ଘଟିକାରୁ ପାଣି ପାଇଁ ନ ଗଲେ ପାଣି ମିଳେନାହିଁ । ପାଣି ପାଇଁ ଗାଁ ଲୋକଙ୍କ ଅସୁବିଧା ଦ୍ୱିଗୁଣିତ ହୋଇପଡିଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇଥାନ୍ତି ହେଲେ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଳେ ନାହିଁ ବୋଲି ଅଭିଯୋଗ କରିଛନ୍ତି । ୨ ୱାର୍ଡ ବିଶିଷ୍ଟ ବରକାନି ଗାଁରେ ଦୀର୍ଘ ବର୍ଷରୁ ପାଣି ସମସ୍ୟା ଲାଗିରହିଛି । ଗାଁରେ ତିନୋଟି ନଳକୂପ ଥିବା ବେଳେ ୨ ଟି ଅଚଳ ହୋଇଥିବା ବେଳେ ଅନ୍ୟଟି ଆବଶ୍ୟକ ପାଣି ବାହାରୁ ନାହିଁ । ଗାଁର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ଦୁଇଟି ନୂତନ ନଲକୂପ ସହ ଓଭରହେଡ୍‌ ଟ୍ୟାଙ୍କ ଓ ଘରକୁ ଘର ପାଣି ଯୋଗାଣ କରିବା ପାଇଁ ଦାବି କରିଛନ୍ତି । ଏ ଦିଗରେ ଆବଶ୍ୟକ ପଦକ୍ଷେପ ନ ନେଲେ ବ୍ଲକ ସମ୍ମୁଖରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଏନେଇ ଆମ ପ୍ରତିନିଧି ହୁଲେଶ୍ୱର ହଂସ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର ପବିତ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ, ସେ କହିଛନ୍ତି ଅଚଳ ନଲକୂପକୁ ଶୀଘ୍ର ସଜାଡିବା ସହ ଗାଁରେ ଥିବା ପାନୀୟ ଜଳ ସମସ୍ୟାକୁ ଅତିଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଗାଁର ପାନୀୟ ଜଳ ସମସ୍ୟାକୁ ସମାଧାନ କରୁଛି ।

Leave A Reply

Your email address will not be published.