
ବରଗଡ଼, (ନିରୋଜ କୁମାର ପାଣୀ) : ମହିଳା ସୁରକ୍ଷା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ରହିବ ଏବଂ ମହିଳା ବିରୋଧୀ ଅପରାଧକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥୀ ବରଗଡ଼ ମହିଳା ସମିତି ସହ ସୌଜନ୍ୟମୂଳକ ଆଲୋଚନାରେ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଜିଲ୍ଲାରେ ଏକ ସୁରକ୍ଷିତ ପରିବେଶ ନିର୍ମାଣ ଏବଂ ବିଶ୍ୱାସ ବୃଦ୍ଧି କରିବା ପୋଲିସ ବିଭାଗର ପ୍ରମୁଖ ପଦକ୍ଷେପ ଏବଂ ଏଥିପାଇଁ ନିଷ୍ଠାର ସହ ଆମେ କାମ କରିବୁ ବୋଲି ଦର୍ଶାଇ ଅପରାଧତତ୍ଵଙ୍କୁ ଦମନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବରଗଡରେ ଏକ ମହିଳା ଥାନାର ଜରୁରୀ ଆବଶ୍ୟକତା ଥିବା ସମିତିର ଦୀର୍ଘ ଦିନର ଦାବି ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ମହିଳା ଥାନା ନିଶ୍ଚିତ ଭାବେ ସ୍ଥାପିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବରଗଡ଼ ମହିଳା ସମିତିର ସଭାନେତ୍ରୀ ମନ୍ଦାକିନୀ ପତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସମ୍ପାଦିକା ରିନୁ ପତି, ମମତା ମିଶ୍ର, ରାଧାରାଣୀ ମିଶ୍ର, ଇନ୍ଦ୍ରାଣୀ ଶତପଥୀ, ଜୟନ୍ତୀ ପ୍ରଧାନ, ମୀନାକ୍ଷୀ କର, ଦିବ୍ୟକାନ୍ତୀ ଭୋଇ ଓ ମୀନା ପଣ୍ଡା ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମିତି ପକ୍ଷରୁ ଏସ୍ପି ଶ୍ରୀ ଶତପଥୀଙ୍କୁ ସମିତି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।