
ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛି ମାସ ଧରି ଆର, ଏସ.ପି ଉତ୍ପାଦନ ଉତ୍ପାଦକତା ଲାଭ ସବୁଥିରେ ଅଗ୍ରଗତି କରିଛି । ଏଥିରେ ଆର,ଏସ.ପି କର୍ମଚାରୀଙ୍କୁ ସାବାସି ମିଳିବା ଜାଗାରେ କର୍ତ୍ତୃପକ୍ଷଙ୍କର କିଛି କାର୍ଯ୍ୟ ଶ୍ରମିକମାନଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି । ପ୍ରତିଦିନ ଶ୍ରମିକର କିଛି ନା କିଛି ସୁବିଧା କଟି ଚାଲିଛି । ଯେବେଠୁଁ ଆରଏସଏସ ୟୁନିୟନ ଦ୍ଵିତୀୟ ବାର ଜିତିଛି ସେବେଠାରୁ ନିଜେ କିଛି ସୁବିଧା ନେଇ କର୍ତ୍ତୃପକ୍ଷଙ୍କର ହାତବାରିସୀ ସାଜି କର୍ତ୍ତୃପକ୍ଷଙ୍କର ସବୁ ଶ୍ରମିକ ବିରୋଧୀ କାର୍ଯ୍ୟକୁ ଅଣଦେଖା କରି ତାହାକୁ ପରୋକ୍ଷରେ ସମର୍ଥନ କରି ଚାଲିଛି । ପୂର୍ବରୁ ସ୍କୁଲ ପ୍ରାଇଭେଟ କରି ପିଲାଙ୍କର ସ୍କୁଲ ଫି ଯାହାକି ୫୦ ଟଙ୍କା ମାସକୁ ପଡୁଥିଲା, ତାକୁ ୪୦ ଗୁଣା ବୃଦ୍ଧି କରି ୨ହଜାର ଟଙ୍କା ମାସକୁ କରିଦେଲେ । ଆଇଜିଏଚ୍ରେ ମିଲକୁ ୫ ଟଙ୍କାରୁ ୧୪ ଗୁଣା ବୃଦ୍ଧି କରି ୭୦ ଟଙ୍କା ପ୍ରତିଦିନ କରିଦେଲେ । ଭୋକେଶନାଲ ଟ୍ରେନିଂ ଯେଉଁଟାକି ଆଗରୁ ମାଗଣା ଥିଲା ତାହାକୁ ପ୍ରତିମାସକୁ ୧୫୦୦ ଟଙ୍କା କରିଦେଲେ । ଏସବୁ ଅନ୍ୟାୟର ବିରୋଧ ନକରି ଓଲଟା ତର୍କ ଦେଲେ ଯେ, ପ୍ରାଇଭେଟ ସ୍କୁଲରେ ଭଲ ପାଠ ପଢ଼ାହେବ । ଆଇଜିଏଚ୍ରେ ମିଲ ରେଟ୍ ଏଥିପାଇଁ ବଢାହେଲା ଯେ, ଶ୍ରମିକଙ୍କୁ ବାଢି କରି ଦେବେ ଏବଂ ଭୋକେଶନାଲ ଟ୍ରେନିଂରେ ଜୋତା ଏବଂ ହେଲମେଟ୍ ପାଇଁ ଟଙ୍କା ନିଆଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଜୋତା ହେଲମେଟ୍ର ଦେଖାନାହିଁ । ଏସବୁ କାର୍ଯ୍ୟ ଦ୍ୱାରା କର୍ତ୍ତୃପକ୍ଷଙ୍କ ସାହସ ବଢ଼ିଲା ଯାହାର ପରିଣାମ ଆଜି ଅନ୍ୟ ସୁବିଧା ଗୁଡିକୁ ମଧ୍ୟ କର୍ତ୍ତୃପକ୍ଷ କାଟିବାକୁ ବସିଲାଣି । ଅବସର ପ୍ରାପ୍ତ କର୍ମଚାରୀ ଲାଇସେନ୍ସ ଆଧାରରେ ଯେଉଁ ଘର ନେଇଛନ୍ତି ତାହାର ଏକ୍ସଟେନସନ ଭାଙ୍ଗିବାପାଇଁ ନୋଟିସ ଦେଲେଣି । ଏ ଭଙ୍ଗା ଦଦରା କ୍ୟାଟରକୁ ଚଢା ଦରରେ କର୍ମଚାରୀ ଲାଇସେନ୍ସ ଆଧାରରେ ନେଇ ତଥା ବଡ ପରିବାର ଯୋଗୁଁ ଯଦି ଏକ୍ସଟେନସନ କରି ରହୁଛି ତାହାହେଲେ ଅସୁବିଧା କେଉଁଠି ? ପୁଳା ପୁଳା କ୍ୱାଟର ଖାଲିପଡିଛି । ଖାଲି କ୍ଵାଟରରେ ସନ୍ଧ୍ୟାବେଳେ ସମସ୍ତ ଅନୈତିକ କାର୍ଯ୍ୟ ଚାଲୁଛି । ଏଥିରୁ ବର୍ତ୍ତିବା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଲାଇସେନ୍ସ ଆକାରରେ ଏବଂ ରିଟେନସନ ସ୍ମିମ ଜରିୟାରେ ଘର ଦିଆଯାଉଛି । ସେଥିରେ କମ୍ପାନୀ ଭଡା ମଧ୍ୟ କଲେକ୍ସନ କରୁଛି, ମାଗଣା ଦେଉନାହିଁ । ତେଣୁ ଏସବୁ ସୁବିଧା କାଟିଲେ କେହି ବରଦାସ୍ତ କରିବେନି । ୧୨୦୦ରୁ ଅଧିକ କ୍ଵାଟର ଶ୍ରମିକଙ୍କୁ ସେକେଣ୍ଡ ୟୁନିଟ କ୍ୱାଟର ଭାବେ ଦିଆ ଯାଇଛି । ସିନିୟର ଶ୍ରମିକ ତାଙ୍କର କାଟାଗୋରି ଅନୁଯାୟୀ ଟୁବିଆର (ଏଲଟି) କିମ୍ବା ଟୁବିଆର (ଏଚ୍ଟି) କ୍ଵାଟର ପାଇବା ଦରକାର । କିନ୍ତୁ ସ୍ୱଳ୍ପ କ୍ଵାଟର ଥିବା ହେତୁ ସମସ୍ତଙ୍କୁ ତାଙ୍କ କାଟାଗୋରୀ ହିସାବରେ ଦେଇ ହେଉନାହିଁ, ତେଣୁ ଦ୍ୱିତୀୟ କ୍ୱାଟର ଶ୍ରମିକଙ୍କୁ ଦିଆଗଲା । ଯେଉଁମାନେ ଦ୍ୱିତୀୟ କ୍ଵାଟର ପାଇଲେ ସେମାନଙ୍କର ମଧ୍ୟ ମନ ସନ୍ତୋଷ ହେଲା ଯେ, ବଡ କ୍ୱାଟର ନମିଳୁ ବରଂ ଦୁଇଟା କ୍ୱାଟର ପାଇ କିଛି ତ ଭରପାଇ ହୋଇପାରିଲା । ଏବେ ସେ ସୁବିଧା କାଟିବାକୁ ବାହାରିଲେଣି । ରାଉରକେଲା ଶ୍ରମିକ ସଂଘ ଉପରେ ରିକ୍ସ ଅଭିଯୋଗ କରିଛି ଯେ, ଯେଉଁ କାମ କରିବା କଥା ସେ କାମ ତ କରୁନାହିଁ, ଯେମିତି କ୍ଵାଟର ମେଣ୍ଟେନାନ୍ସ, ନୂଆ କ୍ଵାଟର ମରାମତି ପାଇଁ ଦୁଇବର୍ଷ ସମୟ ଲାଗୁଛି, କ୍ୱାଟର ଛାତରୁ ପାଣି ଗଳୁଛି ତାହାର ମରାମତି ନାହିଁ, ପାଇଖାନା କବାଟ ଭାଙ୍ଗିଲେ ତାହାକୁ ପରିବର୍ତ୍ତନ ପାଇଁ ଛଅ ମାସରୁ ଆଠ ମାସ ସମୟ ଲାଗୁଛି । ଏସବୁ ନ କରିବାପାଇଁ ତମକୁ କିଏ ଷ୍ଟିଲ ସେକ୍ରେଟାରୀ ନା ମନ୍ତ୍ରୀ ମନା କରିଛନ୍ତି ? ଏଇ କିଛିଦିନ ତଳେ ୨୩ ଜଣ ଟାଉନସିପ୍ର କର୍ମଚାରୀଙ୍କୁ ପ୍ଲାଣ୍ଟ ଭିତରକୁ ପଠାଇବା ପାଇଁ ନୋଟିସ ବାହାର କରାଯାଇଛି । ସେଥିରେ ଅନେକ କର୍ମଚାରୀ କୌଣସି ଦୁରା ରୋଗରେ ପୀଡିତ ହୋଇ ଅନୁକମ୍ପା ମୂଳକରେ ଧୂଳି ନିଆଁରୁ ବଞ୍ଚିବା ପାଇଁ ପ୍ଲାଣ୍ଟ ବାହାରକୁ ଆସିଥିଲେ, ତାଙ୍କୁ ମଧ୍ୟ ଛାଡ ନାହିଁ । କର୍ତ୍ତୃପକ୍ଷ କି ନ୍ୟାୟ ଦେଉଛି ? ନ୍ୟାୟର ବାନା ଯଦି ଏତେ ଉଡାଉଛ ତେବେ ଶ୍ରମିକର ୩୯ ମାସର ଝାଳ ବୁହା ଧନ ଏରିୟର ଦେଇଦିଅ, ସେଗୁଡା ଦେଖାଯାଉନି । ଏଲ ଆଣ୍ଡ ବି ଟ୍ରେନିଂରେ ଚାଲିଥିବା ସାମାନ୍ୟ ମିଲକୁ ବନ୍ଦ କରିଦେଇ ଯେଉଁ ବାହାଦୁରି ଦେଖାଉଛ ସେଇଟା ବାହାଦୁରି ନୁହେଁ ଶ୍ରମିକଙ୍କ ଆଗରେ ଲୋକହସାର ପାତ୍ର ହୋଇଛ । ଏଠି କେହି ଭୋକିଲା ନାହାନ୍ତି ଯେ, ତମେ ନଦେଲେ ଭୋକରେ ମରିଯିବେ । ଏସବୁ ଶ୍ରମିକ ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଦରକାର, ନଚେତ ଭୀଷଣ ପ୍ରତିବାଦ ହେବ । ସେତେବେଳକୁ ତମ ସପକ୍ଷରେ କେହି ନଥିବେ । ଏ ରାଉରକେଲାର ଆବାଳ ବୃଦ୍ଧ ବନିତା ସବୁ ତମ ବିରୁଦ୍ଧରେ ଛିଡା ହୋଇଥିବେ । ଏହି ପରିପ୍ରେକ୍ଷୀରେ ଆମେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଶ୍ୱାସନା ଦେଉଛୁ ଯେ, କାହାରି ଏକ୍ସଟେନସନ ଭାଙ୍ଗିବାକୁ ଦିଆଯିବ ନାହିଁ । ତାହା ସହିତ ସମସ୍ତ ଲାଇସେନ୍ସ ଧାରୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅନୁରୋଧ କରୁଛୁ ଯେ, ଯଦି ନିଜର କିଛି ବକେୟା ପାଉଣା ଅଛି ତାହାକୁ ତୁରନ୍ତ ପୈଠ କରିବାକୁ ଅନୁରୋଧ । ଆଜିର ଗଣ ବିକ୍ଷୋଭରେ ଭାରତୀୟ ମଜଦୁର ସଂଘର ଅଖିଳ ଭାରତୀୟ ନେତା ତଥା ଇସ୍ପାତ ସହ ପ୍ରଭାରୀ ହିମାଂଶୁ ବଳ, ସୁନ୍ଦରଗଡ ଜିଲ୍ଲା ପ୍ରଭାରୀ ରାଜେନ୍ଦ୍ର ନାଥ ମହନ୍ତ, ରିକ୍ସର ଅଧ୍ୟକ୍ଷ ପ୍ରଦୋଷ ପଣ୍ଡା, ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟା ସମିତା ମିଶ୍ର, ରଂଜିତା ଜେନା, ରିତାରାଣୀ ସ୍ୱାଇଁ, ଅନୁଆରୀ ବେଗମ, ସଞ୍ଜୀବ ପତି, ମାନସ ଦାସ, ଉମାକାନ୍ତି ସାମଲ, ରାଜେଶ ଦାସ, ପ୍ରଦୀପ ସାହୁ, ଅମର ଯୌଗୁଳ, ଲଳିତ ସୁନ୍ଦର ଜେନା, ବିକାଶ ପ୍ରଧାନ, ଶ୍ରୀଧର ବେହେରା, ସମର ମହନ୍ତି, ଜନକର ସେଠି, ଦୀପକ କୁମାର, ପିନାକୀ ମହାନ୍ତି, ଶ୍ରୀଧର ବିନ୍ଧାଣି, ନିରଂଜନ ପଟେଲ, ସୁଶୀଲ ସେଠି, ତ୍ରିଲୋଚନ ନାୟକ, ସୁଭାଷ ପାଢ଼ୀ, କାଳିଚରଣ ଦାସ, ସୁଜାନୁ ଦାସ, ଦୀନବନ୍ଧୁ ଦାସ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।