
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗିର ଓ ଅଶୋକ ଚନ୍ଦନ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାଟଣାଗଡ଼ ଓମ୍ କଲ୍ୟାଣ ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ ଓ ଲେଖକ ପରିଷଦର ସମ୍ପାଦକ କବି ସୁଶାନ୍ତ ବାଗ ପ୍ରାରମ୍ଭିକ ମାତୃ ବନ୍ଦନା ଗାନ କରିଥିଲେ । ସଂଯୁକ୍ତା ଚନ୍ଦନ ମଂଚ ପରିଚାଳନା କରିଥିଲେ । ଉକ୍ତ ସଭାର ପ୍ରଥମ ଅଧିବେଶନରେ ସଭା ମୁଖ୍ୟ ଭାବରେ ଡଃ. ଜୟକୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ଡଃ. ସୁଜିତ୍ କୁମାର ପୃଷେଠଙ୍କ ସମେତ କବି ଭିକାରି ଚରଣ ମିଶ୍ର, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର, କବି ଭାଗିରଥି ମିଶ୍ର ଓ ମୁଖ୍ୟ ଟ୍ରଷ୍ଟି ଅନୂପ କୁମାର ଚନ୍ଦନ ମଞ୍ଚାସୀନ ହୋଇ ସ୍ୱର୍ଗତ ସାହିତ୍ୟିକ ଅଶୋକଙ୍କୁ ଭାବବିହ୍ୱଳ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଦ୍ଵିତୀୟ ଅଧିବେଶନରେ ଶିକ୍ଷାବିତ୍ ସନାତନ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରଂଗାରଂଗ କବିତା ଆସରରେ ନାରାୟଣ ମିଶ୍ର, ଦିଲୀପ କୁମାର ପଶାୟତ, ସୁଶ୍ରୀ ସଂଯୁକ୍ତା ପରିଛା, ଶିବ ପ୍ରସାଦ ସା ଓ ଅର୍ଜୁନ କୁମାର ସାହୁଙ୍କ ସହିତ କବି ସୁଶାନ୍ତ ବାଗ ମଞ୍ଚାସୀନ ଥିଲେ । ସୁନାମଧନ୍ୟ ଚିତ୍ରଶିଳ୍ପୀ ଲିନା ମେହେରଙ୍କ ତତ୍ୱାବଧାନରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଥିଲା । ସମଗ୍ର କାର୍ଯ୍ୟକ୍ରମରେ କବି ନିସାର ଅହମ୍ମଦ (ମଣ୍ଟୁ) ବାଦ୍ୟଯନ୍ତ୍ରରେ ସହଭାଗିତା କରି କାର୍ଯ୍ୟକ୍ରମକୁ ସରସ ଓ ମନଲୋଭା କରି ଧରି ତୋଳିଥିଲେ । ଶେଷରେ ଉଦ୍ୟୋକ୍ତା ଆଶିଷ କୁମାର ଚନ୍ଦନ ଧନ୍ୟବାଦ ଦେଇଥିଲେ । ସମାରୋହରେ ପ୍ରାୟ ପଚାଶ ସରିକି କବି କବିତା ପାଠ କରିଥିବାବେଳେ ପାଖାପାଖି ତିନିଶହରୁ ଅଧିକ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।