jayashree

ଜୟପାଟଣା ଥାନାରେ ବଡ଼ କାର୍ଯ୍ୟାନୁଷ୍ଠାନ : ହୋମଗାର୍ଡ ପବିତ୍ର ମୋହନ ନିଲମ୍ବିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ବିଭାଗରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ । ଜୟପାଟଣା ଥାନାର ହୋମଗାର୍ଡ ପବିତ୍ର ମୋହନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି କଳାହାଣ୍ଡି ଅତିରିକ୍ତ ଏସପି ଏହା ସହ ତାଙ୍କ ଉପରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ହେଉଥିବା ଥାନା ଅଧିକାରିଣୀ ଅର୍ଚ୍ଚନା ନାଏକ ସୂଚନା ଦେଇଛନ୍ତି । ଅଭିଯୋଗ ମୁତାବକ, ପବିତ୍ର ମୋହନ ନିଜ ପଦବୀର ଅପବ୍ୟବହାର କରି ସ୍ଥାନୀୟ ଅଞ୍ଚଳରେ ବେଆଇନ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଆଇନର ଭୟ ଦେଖାଇ ସେ ପ୍ରବଳ ଅର୍ଥ ଲୁଟୁଥିବା ନେଇ ଉଚ୍ଚ ପଦାଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । ଏସ୍‌ପିଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ହୋମଗାର୍ଡ ପବିତ୍ର ମୋହନଙ୍କ ନିଲମ୍ବନ ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ ଜଣେ ସାଧାରଣ ହୋମଗାର୍ଡ ପାହ୍ୟାରେ ଥାଇ ସେ ଏତେ ବିପୁଳ ସମ୍ପତ୍ତି ଆଦାୟ କଲେ କେମିତି ? ଆଉ ଏହି ବେଆଇନ ବଟିରୁ ଆଦାୟ ହେଉଥିବା ମୋଟା ଅଙ୍କର କଳା ଟଙ୍କା କେବଳ ପବିତ୍ରଙ୍କ ପକେଟ୍‌କୁ ଯାଉଥିଲା, ନା ଏଥିରେ ପୋଲିସ ବିଭାଗର ଆଉ କେଉଁ କେଉଁ ବଡ଼ ବାବୁମାନଙ୍କର ଭାଗ ରହୁଥିଲା? ସାଧାରଣରେ ଦାବି ହେଉଛି, କେବଳ ନିଲମ୍ବନ ନୁହେଁ, ବରଂ ଏହି ସାମ୍ରାଜ୍ୟ ପଛର ପ୍ରକୃତ ସତ୍ୟ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଏଠାରେ ପ୍ରକାଶ ଥାଉକି ପୂର୍ବରୁ ଏଭଳି ଅଭିଯୋଗରେ ଦୁଇଜଣ ହୋମଗାର୍ଡ ନିଲମ୍ବିତ ହୋଇଛନ୍ତି । ତେବେ କେବଳ ହୋମଗାର୍ଡ ବଳି ପଡୁଥିବା ବେଳେ ତୃଣମୂଳରେ କେଉଁ ରହସ୍ୟ ଭେଦ ଅଛି ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.