jayashree

ବିନା ପାରିଶ୍ରମିକରେ ଟ୍ରାଫିକ ସେବା ଯୋଗାଇ ଚର୍ଚ୍ଚାରେ ଦିନ ମଜୁରିଆ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ନିଜ ଗାଁର ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ନିଜେ ଅଣ୍ଟା ଭିଡ଼ିଛନ୍ତି ଜଣେ ଦିନ ମଜୁରିଆ । ଏଥିପାଇଁ ସେ ବିନା ପାରିଶ୍ରମିକରେ ନିସ୍ଵାର୍ଥପର ଭାବେ ଏବେ ଟ୍ରାଫିକ ସେବା ଯୋଗାଇ ସମସ୍ତଙ୍କ ପାଇଁ ପ୍ରଂଶସାର ପ୍ରିୟପାତ୍ର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପାବୁରିଆ ଗାଁରୁ ସାମ୍ନାକୁ ଆସିଛି ଟ୍ରାଫିକ ସମସ୍ୟା ସମାଧାନ ଦିଗରେ ଏପରି ଏକ ସଚେତନତାର ବାସ୍ତବ ଚିତ୍ର । ଟିକାବାଲି ବ୍ଲକ ପାବୁରିଆ ଗାଁର ଦିନ ମଜୁରିଆ ବସନ୍ତ କୁମାର ବୁର୍ଗୀ । ପାବୁରିଆ ଗାଁରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଟ୍ରାଫିକ ସମସ୍ୟା ସହ ଗାଁରେ ଦୁର୍ଘଟଣାରୁ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ଶେଷରେ ଆଗକୁ ଆସିଛନ୍ତି ବସନ୍ତ କୁମାର ବୁର୍ଗୀ । ଦୀର୍ଘ ପନ୍ଦର ଦିନରୁ ଅଧିକ ସମୟ ଧରି ଜନଗହଳି ପୂର୍ଣ୍ଣ ପାବୁରିଆ ଚାରିଛକରେ ସେ ନିଜକୁ ନିୟୋଜିତ କରିଛନ୍ତି । ତେବେ ପେଶାରେ ବସନ୍ତ ଜଣେ ଦିନ ମଜୁରିଆ ହୋଇଥିବା ସତ୍ୱେ ସେ ନିଜ ରୋଜଗାର ଛାଡି ଏବେ ଜନସାଧାରଣଙ୍କ ପାଇଁ ନିସ୍ଵାର୍ଥପର ଭାବେ ବିନା ପାରିଶ୍ରମିକରେ ଟ୍ରାଫିକ ସେବା ଯୋଗାଇ ଆସୁଛନ୍ତି । ଏଥିପାଇଁ ସକାଳ ଠାରୁ ରାତ୍ରି ପର୍ଯ୍ୟନ୍ତ ହୁଇସିଲ ଖଣ୍ଡେ ଧରି ପାବୁରିଆ ଚାରିଛକରେ ଟ୍ରାଫିକ ସେବା ଦେଇ ଚାଲିଛନ୍ତି । ଅତୀତରେ ବସନ୍ତଙ୍କ ପରିବାରର ସଦସ୍ୟ ଦୁର୍ଘଟଣାରେ ଆହତ ହୋଇଥିବା ନେଇ ସେ ଏପରି ପଦକ୍ଷେପ ନେଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟ କେହି ଯେପରି ଦୁର୍ଘଟଣାର ଶିକାର ନ ହୁଅନ୍ତୁ ଓ ଟ୍ରାଫିକ ସମସ୍ୟା ଯେପରି ନ ଉପୁଜେ ସେଥିପାଇଁ ଦିନ ମଜୁରିଆ ହୋଇ ବି ଏପରି ପନ୍ଥା ଆଦରି ନେଇଛନ୍ତି ବସନ୍ତ । ତେବେ ବସନ୍ତଙ୍କ ଏପରି ନିସ୍ଵାର୍ଥପର ସେବା ପାଇଁ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ନାୟକ, ବୁଦ୍ଧିଜୀବୀ ଚିତ୍ତ ରଞ୍ଜନ ବେହେରା, ଗୋପାଳ କୃଷ୍ଣ ନାୟକଙ୍କ ସମେତ ଅଂଚଳବାସୀ ଖୁସିବ୍ୟକ୍ତ କରିଥିବା ସହ ଏପରି କାର୍ଯ୍ୟ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି ।

Leave A Reply

Your email address will not be published.