jayashree

ରକ୍ତ ଭଣ୍ଡାରରେ ସ୍ଥାୟୀ ଡାକ୍ତର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଲା ନିଷ୍ଠା ପରିବାର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ସମସ୍ୟା ଓ ବରଗଡ଼ ରକ୍ତ ଭଣ୍ଡାରର ଅବ୍ୟବସ୍ଥାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦୁଇଟି ଦାବିପତ୍ର ପ୍ରଦାନ କରିଥିଲା ନିଷ୍ଠା ପରିବାର । ବରଗଡ଼ ରକ୍ତ ଭଣ୍ଡାରରେ ଏକ ସ୍ଥାୟୀ ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ରହିବା କଥା, ସିଡିଏମ୍‌ଓ ଦାୟିତ୍ୱ ବି ଦେଇଛନ୍ତି ଡାକ୍ତର ଚିତ୍ତ ରଞ୍ଜନ ପଣ୍ଡାଙ୍କୁ । କେବଳ ନାମକୁ ମାତ୍ର, ଶ୍ରୀ ପଣ୍ଡା କେବେ ବି ରକ୍ତ ଭଣ୍ଡାର ଆସୁନଥିବା ବେଳେ ତାଙ୍କୁ ପଚାରିଲେ କହୁଛନ୍ତି ମୋ ଉପରେ ଆହୁରି ଅନେକ ଦାୟିତ୍ୱ ଦେଇଛନ୍ତି ସିଡିଏମଓ । ମୋର ରକ୍ତ ଭଣ୍ଡାର ପାଇଁ ସମୟ ହେଉନାହିଁ । ଜଣେ ସ୍ଥାୟୀ ଡାକ୍ତର ନ ଥିବାରୁ ରକ୍ତ ଭଣ୍ଡାରରେ ଅନେକ ଅସୁବିଧା ହେଉଛି । ରକ୍ତ ଭଣ୍ଡାରର ସୁରକ୍ଷା ଓ ଦଲାଲମାନଙ୍କୁ ଏଡ଼ାଇବା ପାଇଁ ୨୪ ଘଣ୍ଟା ସିକ୍ୟୁରିଟି ଗାର୍ଡର ନିତାନ୍ତ ଆବଶ୍ୟକତା ଥିବାବେଳେ କେହି କର୍ଣ୍ଣପାତ କରୁନାହାନ୍ତି । ଠିକ୍‌ ସେହିପରି ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର ହସ୍ପିଟାଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼ ଉପରେ ଅନେକ ରୋଗୀଙ୍କ ଆଶା ଓ ଭରସା ଅଛି । କିନ୍ତୁ ରୋଗୀ ଏ ହସ୍ପିଟାଲକୁ ଆସିଲେ ତୁରନ୍‌ନ୍ତ ତାଙ୍କୁ ବୁର୍ଲା ରେଫର କରାଯାଉଛି । ଏକ ବିରାଟକାୟ କ୍ୟାନସର ହସ୍ପିଟାଲରେ ବର୍ତ୍ତମାନ ତାଲା ଝୁଲୁଛି । ଏପରିକି ହାତ ଗଣତି କିଛି କେମୋକୁ ଛାଡି ଦେଲେ କେମୋ ମଧ୍ୟ ହେଉନାହିଁ । ତାହା ପୁଣି ଟ୍ରେନିଂ ପ୍ରାପ୍ତ ଜଣେ ମେଡିସିନ ଡାକ୍ତର କରୁଛନ୍ତି । ଡାକ୍ତରଖାନା ପରିସରରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି । ଡାକ୍ତର ରକ୍ତ ପରୀକ୍ଷା ଲେଖିବା ପରେ ରୋଗୀ ଚାରି ଚାରି ଥର ଲମ୍ବା ଲାଇନରେ ଛିଡା ହୋଇ ରକ୍ତ ପରୀକ୍ଷା କରୁ କରୁ ୧୨ଟା ଉପରେ ହୋଇଯାଉଛି । ପରୀକ୍ଷା ରିପୋର୍ଟ ଆସିବା ପରେ ଡାକ୍ତରଙ୍କ ସମୟ ସମାପ୍ତ ହେତୁ ରୋଗୀ ନାହିଁ ନ ଥିବା ହଇରାଣ ହେବା ସହ ପୁଣି ଆଉ ଦିନେ ଆସି ଡାକ୍ତରଙ୍କୁ ଦେଖାଉଛନ୍ତି । ପୁରୁଣା ରକ୍ତ ଭଣ୍ଡାର ମଧ୍ୟ ଚାଲିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ନୂଆଁ ରକ୍ତ ଭଣ୍ଡାରକୁ ବି ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ । ଆଗ ଅପେକ୍ଷା କର୍ମଚାରୀ ସଂଖ୍ୟା ବହୁତ ଭଲ ଥିବା ସତ୍ତ୍ୱେ ସଠିକ୍ ପରିଚାଳନାର ଅଭାବ ଯୋଗୁଁ ରୋଗୀ ହଇରାଣ ହେଉଛନ୍ତି । ଏ ସବୁ ସମସ୍ୟାର ସମାଧାନ ଯଥା ଶୀଘ୍ର ନ ହେଲେ ବରଗଡ଼ର ସମସ୍ତ ସାମାଜିକ ଅନୁଷ୍ଠାନକୁ ନେଇ ଏକ ବିରାଟ ଆନ୍ଦୋଳନ ହେବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଏ ସବୁ ସମସ୍ୟା ଉପରେ ଆଲୋଚନା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କର ବରଗଡ଼ରେ ରହିବାର ଇଚ୍ଛା ନାହିଁ ବୋଲି ସିଧା ସଳଖ ଉତ୍ତର ଦେଇଥିଲେ । ଯାହା କି ନିଷ୍ଠା ପରିବାରକୁ ବ୍ୟଥିତ କରିଥିଲା । ଦାବିପତ୍ରର ଉତ୍ତର ହିଁ ଦେବି ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସମସ୍ତ ଦାବିପତ୍ରର ନକଲ ବରଗଡ଼ ଜିଲ୍ଲାପାଳ, ବିଧାୟକ, ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି ।

Leave A Reply

Your email address will not be published.